ଉକୁଡୁ - ମୁକୁଡୁ ଶ୍ରୀ ଧୀରେନ ମିଶ୍ର ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-c419969d92.html ଉକୁଡୁ ମୁକୁଡୁ ଧାଏଁ ଖୁଡୁଖୁଡୁ ମୁକୁଡୁ କାନ୍ଦିଲା ଭେଁ ବାରି ବୁଦାତଳୁ ସାରୁଗଛ ମୂଳୁ ବେଙ୍ଗୁଲୀ କଟର କେଁ । ଛପଲ-ଛପଲ ଛେଳି ପଲପଲ ଛେଳିଛୁଆ ଡାକେ ମେଁ ଚବଲ-ଚବଲ ପାଣି ତଲତଲ କଡେଇ ତାତିଲେ ଚେଁ । ଚବର ଚବର ଖବର ଜବର ପାନଖିଆ ପାଟି ନାଲି ନଙ୍ଗର ପଙ୍ଗର ଚଙ୍ଗର ଚଙ୍ଗର କହିବୁ ଯା` ଯେତେ କାଲି । ଖସର ମସର ଯାଏ ସର-ସର ପିଲାଏ ମାଇଲେ ତାଳି ଘଷର ଘଷର ଆହୁରି ଘଷର ବାଟଣ ପିଠଉ ଥାଳି । ରଡି ଛାଡିଛାଡି ଆସେ ମାଡିମାଡି ଇଞ୍ଜିନର ରେଳଗାଡି ପଘା ଭିଡିଭିଡି ଅଜା ଚିଡିଚିଡି ଗାଈ ରହେ ଛୁଆଛାଡି । ∎ ଶୁଶୁଡା, ଅନୁଗୋଳ ମୋ – 7978087891