କୁନିପିଲା କାହ୍ନୁ ପ୍ରଶାନ୍ତ କୁମାର ଦାଶ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-c2bfba3f59.html କୁନିପିଲା କାହ୍ନୁ ଭାରି ଅମାନିଆ ମାନେନାହିଁ କାହାକଥା ଘରୁ ଲୁଚି ଲୁଚି ଯାଏ ଏଣେ ତେଣେ ଘୂରଇ ମାଆଙ୍କ ମଥା || ଘରେ ଘରେ ପଶି ଚୋରାଇ ଖାଏସେ କେତେଯେ ଲହୁଣୀ ସର ତେନ୍ତୁଳିଛାଟରେ ମାଡ଼ଖାଏ କାହ୍ନୁ ମାଆ ହାତୁ ବହୁଥର || ଜଙ୍ଗଲକୁ ଯାଇ ଚରାଏସେ ଗାଈ ହୁଏ ଦେହ ଧୂଳିମଳି ତା ଦେହକୁ ପୋଛି ମାଆ ଯଶୋମତି କୋଳକୁ ନିଅନ୍ତି ତୋଳି || ଗୋପବାସୀଙ୍କର ପାଏ ସେ ଆଦର ସେନେହ ଶରଧା ଗେଲ ଫୁଟିଥିଲା କାହ୍ନୁ ଗୋପ କାନନରେ ହେଇ ଏକ ସଜଫୁଲ || ସୁଦାମ ସୁବଳ ସଖା ସାଥେ ଖେଳେ ଗହନ କାନନ କୋଳେ ସାଥୀ ହେଇ ଚଢ଼ି ଗଛର ଡାଳରୁ ମିଠା ଫଳ କୋଳି ତୋଳେ || କଂସ ବନ୍ଦୀଘରେ ଜନମ ନେଇ ସେ ଆସିଥିଲା ଗୋପପୁର ଗୋପୀ ଗୋପାଳଙ୍କୁ ଛାଡି ଚାଲିଗଲା ଦିନେ ସେତ ବହୁଦୂର || ଡାକନ୍ତି ଯଶୋଦା ଫେରିଆ କାହ୍ନୁରେ ଆରେ ମୋ ନୟନତାରା ଆକାଶ ଛାତିର ତୁ ପୁନେଇଁଜହ୍ନ ଶତ ବରଷାର ଧାରା || କୁନିପିଲା କାହ୍ନୁ କରିଥିଲା କେତେ ଦୁଷ୍ଟ ଅସୁରଙ୍କୁ ନାଶ କୁନି ପିଲା ନୁହେଁ ବିଶ୍ଵ କାରିଗର ପୂଜିବା ତାକୁରେ ଆସ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦