ରଜ ଆସିଛି ରଜ ରତ୍ନାକର ନାୟକ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-c1f68e46dd.html ରଜ ଆସିଛି ରଜ ବରଷେ ପରେ ହରଷ ଭରେ କରିବ ବୋଲି ସଜ। ତତଲା ନିଆଁ ଆକାଶୁ ଝରେ ରହି ହେଉନି ବାହାରେ ଘରେ, ଗୁଳୁଗୁଳି ରେ ବହଇ ଝାଳ ଖରାବେଳଟା ହେଲାଣି କାଳ, ଗରମ ତାତି ପବନ ମାତି ସକାଳୁ ଚାଲେ ସଞ୍ଜ। ପଶା,ତାଆସ , ବାଗୁଡ଼ି ଖେଳ ଜଣା ପଡ଼େନା କଟଇ ବେଳ, ତୋଟା ମାଳରେ ପିଲାଙ୍କ ମେଳ ଗୁଡ଼ି ଉଡୁନି ସୂତା ଛିଡୁନି ଶୁଭେନା ବଜବଜ। ପଟା ଦୋଳିରେ ଖେଳୁଛି ଖରା ଖରା ନୁହେଁରେ ମଣିଷ ମରା, ଖାଲି ମାଠିଆ,ବାଲିଟି,ଗରା, ପୋଡ଼ପିଠାରେ ଆମ୍ବ ମିଠାରେ ସୁଆଦ ନାହିଁ ଆଜ। ଗଛ ପତର ଗଲାଣି ଜଳି ସୂରୁଯ ତେଜ ଯାଉଛି ବଳି, ବରଷାରାଣୀ କରୁଛୁ ଅଳି ଡେରି ନ କରି ବାଦଲ ଚିରି ଢାଆଳେ ଗଜଗଜ। ଯିଏ ଯେଉଁଠି ପିଲାଏ ଅଛ ସବୁତ ପଛ,ଲଗାଅ ଗଛ ଖରାର ଦାଉ ହୋଇବ ଶେଷ ହସିବ ଦେଶ ଏ ପରିବେଶ ଅଙ୍ଗାରକାମ୍ଳ କମେଇ ଦେଇ ନାଚିବା ଡେଇଁ ତାଥେଇ ଥେଇ ହେବାରେ ଆମେ ସଜ, ରଜ ଆସିଛି ରଜ। ∎ ଜାରକା, ଧର୍ମଶାଳା, ଯାଜପୁର।