ଏମିତି କରିବି ନାହିଁ ଡକ୍ଟର ରଘୁ ସାହୁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-bfc3656207.html ବୋଉଲୋ ବୋଉ କହଲୋ ବୋଉ ପଞ୍ଚେଇ ମାଆ ଛିଞ୍ଚେଇ ପାଣି ଓଳାଏ ଘର ଦାଣ୍ଡଦୁଆର ବାହାରେ ଖାଏ ପିଣ୍ଡାରେ ଶୁଏ ତାହାର କଅଣ ନାହିଁକି ଘର ପୁଅ ନାହିଁକି ଝିଅ କି ନାହିଁ ହଉଚି କାହିଁ ବାରଦୁଆର ? ବୋଉ କହିଲା : ଧନରେ ଧନ ଶୁଣିଲେ ତୋର ଫାଟିବ ମନ ଗୋଟିଏ ପୁଅ ସ୍କୁଲ ମାଷ୍ଟର ଆର ପୁଅଟି ଇଞ୍ଜିନିଅର ବୋଉକୁ ବାଣ୍ଟି ହେଇଛି ପାଳି ଦିନେ ଆ ଘରେ ଦିନେ ତା ଘରେ ଖାଇବ ସିଏ ଛିଡ଼ିଛି କଳି l ଯୋଉ ମାସଟି ଏକତିରିଶି ଗୋଟିଏ ଦିନ ପଡିବ ବଳି , ସେଇ ଦିନଟି ପରଘରରେ କରି ପାଇଟି ପେଟ ପାଇଁଟି ବୁଲୁଛି ବୁଢ଼ୀ ଓଳିକି ଓଳି l ବୋଉଲୋ ବୋଉ କହଲୋ ବୋଉ ତୁ କାହିଁକି ସେମିତି ନୋହୁଁ ଅଜା ଆଈଙ୍କି ପୂଜା କରୁଛୁ ବାପାଙ୍କୁ କାହିଁ ଏତେ ଡରୁଛୁ ରାଗିଲେ ଅଜା ରାଗିଲେ ଆଈ ତୁ ହସିଦେଲେ ତୁନି ପଡଇ ତାଙ୍କ ପରିକା କାହିଁ ନହେଲୁ କିମିଆ ଯାଦୁ କାହୁଁ ଶିଖିଲୁ ? ବୋଉ କହିଲା : ସୁନା ଶଙ୍ଖାଳି ତୋତେ ଡରିକି କରୁନି କଳି କାଲି ସକାଳେ ବଡ଼ ହୋଇବୁ ସୁନାବୋହୂଟି ଖୋଜି ଆଣିବୁ ଦେଖିବ ଯଦି ଶାଶୁ ଶଶୁର ମାଡ ଖାଆନ୍ତି ଥରକୁ ଥର ଶିଖିଵ ବୋହୂ ତୋତେ ଶିଖେଇ କଲି ମୁଁ ଯାହା ଥୁଆ ମୋ ପାଇଁ ଶାଶୂ ଶଶୁର ଘରୁ ତଡିବ ଏକଥା ଜମା ମିଛ ନୋହିବ l କାନ୍ଦିଲି ବୋଉ ଚରଣ ଛୁଇଁ ତୋ ପୁଅ ଏମିତି କରିବ ନାହିଁ l ∎ ଫୋନ -9439665367