କାନ୍ଦେନି ବୋଉ ଦିଲ୍ଲୀପ କୁମାର ସାହୁ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-be53063c27.html କାନ୍ଦେନି ବୋଉ ଭାଙ୍ଗିଯିବ କାଳେ ବାପାଙ୍କର ଏବେ ନିଦ ଶୋଇପଡିଛନ୍ତି ନିଘୋଡ ନିଦରେ ଅରୀ ସାଥେ କରି ଯୁଦ୍ଧ । ତାଙ୍କ ଦେଶପ୍ରେମ ତାଙ୍କ ବୀରଗାଥା ସବୁରି ଓଠରେ ଆଜି ଦେଶର ସୀମାକୁ ଜଗିଥିଲେ ବାପା ଜୀବନ ଲଗାଇ ବାଜି । ଛୁଟିରେ ଯେବେତ ଆସୁଥିଲେ ସିଏ ହସୁଥିଲା ଆମ ଘର ଫେରିଗଲାବେଳେ ସବୁରି ଆଖିରୁ ଝରୁଥିଲା ଲୁହଧାର । ଏଥର ମୋ ବାପା ଆସିଛନ୍ତି ଆଉ ସୀମା କୁ ଯିବେନି ଫେରି ଫେରିବେନିବୋଲି ଆମ ଗାଁ ସାରା ସଭିଏ ହୁଅନ୍ତି ଝୁରି । ତ୍ରିରଙ୍ଗା ପତାକା ଘୋଡାହୋଇଅଛି ଆଜିତ ତାଙ୍କରି ଦେହେ ବିଗୁଲ ସ୍ବରରେ ବନ୍ଧୁକ ର ମୁନ ତାଙ୍କ ଆଗେ ନଇଁଯାଏ । ବୀର ବୋଲି ତାଙ୍କୁ ଶେଷ ସନମାନ ଦେଉଅଛି ଆଜି ଦେଶ ତାଙ୍କ ଯଶ ଗୀତି ଗାଉଥିବ ସଦା ଆମ ଗାଁ ଇତିହାସ । ବାପା ଚାଲିଗଲେ ଅଫେରା ରାଇଜେ ଚିତା ଜଳେ ଦାଉଦାଉ କାନ୍ଦେଲୋ ବୋଉ କାନ୍ଦେ ତୁ ଯେତେ ଉଠିବେନି ବାପା ଆଉ। ∎