ଲିସା ଦିଶା ଦୁହେଁ ହସିଲେ ଲକ୍ଷ୍ମୀଧର ନାୟକ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-bb5044b183.html ଲିସା ଦିଶା ଦୁହେଁ ଅଳି କଲେ ଆସି ଚାଲ ବାପା ଯିବା ଗାଆଁକୁ, ସହରରେ ରହି ଜାଣି ପାରୁ ନାହୁଁ ରଜ ଖାଲି ଶୁଣୁ ନାଆଁକୁ । ଆମ୍ବ ତୋଟା ନାହିଁ ରଜ ଦୋଳି କାହିଁ ରଜକୁ ପାଳିବୁ କିପରି, ସଜ ହେବୁ ସିନା ଏଇଠି ଟିକିଏ ଖୁସି କି ମିଳିବ ସେପରି । ଗାଆଁର ଦୋଳି ତ କଟକଟ ଡାକେ ଗୀତ ଗାଇ ଦୁହେଁ ଝୁଲିବୁ, ସଜ ଆମେ ହୋଇ ରଜ ପାନ ଖାଇ ଗାଆଁ ସାରା ଆମେ ବୁଲିବୁ । ସାଇ ପଡ଼ିଶାଙ୍କ ଘରକୁ ଯାଇକି ମିଳିମିଶି ସବୁ ଖାଇବୁ, ଲୁଡୁ ପୁଣି ପୁଚି ଖେଳିବୁ ସେଇଠି କେତେ ଖୁସି ଆମେ ହୋଇବୁ । ଦେଖିବୁ କବାଡି ପାଇକ ଖେଳକୁ ମେଳାରେ ବୁଲିବୁ ହରଷେ, ବିଦ୍ୟାଳୟ ଛୁଟି ଏବେ ମନା କଲେ ଅନାଇବ କିଏ ବରଷେ । ଦୁଇ ଝିଅଙ୍କର ଅଳି ଦେଖି ବାପା ଗାଆଁ ଯିବା ପାଇଁ କହିଲେ, ତାଙ୍କ କଥା ଶୁଣି ବଡ଼ ପାଟି କରି ଲିସା ଦିଶା ଦୁହେଁ ହସିଲେ । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮