ଅତି ଆପଣାର କପିଳା ଅଜା ଶରତ କୁମାର ଦାସ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-bb35305be2.html ଛୁଆଠାରୁ ବଡ଼ ସଭିଙ୍କ ନିଜର ଅତି ଆପଣାର କପିଳା ଅଜା, କଥାଟି ତାଙ୍କର ଭାରି ସୁଆଦିଆ ଶୁଣିଲେ ଥରେଟି ଲାଗଇ ମଜା । ପାକୁଆ ପାଟିରେ ପାନ ଖିଲେ ଖାଇ ଗାଆଁ ଦାଣ୍ଡେ ଧରି ବଙ୍କୁଲି ବାଡ଼ି, ନଇଁ ନଇଁ ଧୀରେ ଚାଲୁଥାନ୍ତି ବାଟ ହସିହସି ଦୁଇଗୋଡ଼କୁ କାଢ଼ି । ପୁନେଇ ପରବ ମେଳା ମଉଛବ ହସୁଥାଏ ତାଙ୍କ ପାଇଁଟି ସିନା, ସବୁଥିରେ ଅଜା ରହିଥାନ୍ତି ଆଗେ କିଛି ବି ହୁଏନି ତାଙ୍କରି ବିନା । ମେଳ କରି ସବୁ ପିଲାଙ୍କୁ ବୁଝାନ୍ତି ଗାଆଁ ପରିମଳ କରିବା ପାଇଁ , ପରିବେଶ ହେଲେ ସଫାସୁତୁରା ଟି ରୋଗ ବଇରାଗ ମାଡ଼ିବ ନାହିଁ । ବଖାଣନ୍ତି ତାଙ୍କ ପିଲାବେଳ କଥା ଦୁନିଆ କେମିତି ସରଳ ଥିଲା, ସିନିହ ଶରଧା କିଣୁଥିଲା ମନ ଏବେ ପରା ସବୁ ହେଲାଣି ଢିଲା । ଗୁରୁଗୁରୁଜନେ ଭରିରହିଥିଲା ମାନ ସନମାନ ଭକତି ଭାବ, ପର ଉପକାରେ ପୂରିଥିଲା ଖୁସି ହିଂସା କପଟର ନଥିଲା ଠାବ। ଡାକତରଖାନା ନଥିଲା ପାଖରେ ଯେବେବା ଦେହଟି ଖରାପ କା`ର, ବଇଦ ବାପୁଡ଼ା ଚେରମୂଳି ଦେଇ କରୁଥିଲେ ଉପଚାରଟି ତା`ର । ବଦଳୁଛି ଯୁଗ ଯେତିକି ଆଗକୁ ସେତିକି ତଳକୁ ଖସୁଛି ଆମେ, କୁଆଡ଼େ ଗଲାଣି ଶାନ୍ତି ସଦଭାବ ମନଟି ସଦା ତ ଖରାପ କାମେ । କିଏ କାହା ଆଉ କଥାରେ ନାହାନ୍ତି କପିଳା ଅଜାଙ୍କ ମନରେ ଦୁଃଖ , କିଏ ନେଇଗଲା ସେ ସୁନାର ଦିନ କାହିଁ ହଜିଲା ସେ ସରଗ ସୁଖ। ସଭିଙ୍କୁ ଆଦରେ କହନ୍ତି ସରାଗେ ``ନାତିନାତୁଣୀଏ ଶୁଣରେ ଶୁଣ, ମିଳିମିଶି ତମେ ରହିବ ଏକାଠି ଦୂରେଇ ଦେଇକି ଯେତକ ଖୁଣ ।" ---------------------------- ∎ ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ ବଡବିଲ ମହାବିଦ୍ୟାଳୟ, ବଡବିଲ ଜିଲ୍ଲା-କେନ୍ଦୁଝର ମୋ-୮୨୪୯୧୩୭୦୯୧