ଆଲୋକର ବିଚ୍ଛୁରଣ ଓ ନାଲି ସୂରୁଯ ଡକ୍ଝର କମଳାକାନ୍ତ ଜେନା ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-b50de5de3a.html ସକାଳୁ ଉଠି ବାପାଙ୍କ ସହିତ ରାମୁ ସମୁଦ୍ର କୂଳରେ ଚାଲୁଥାଏ । ପୂର୍ବ ଆକାଶ ଲାଲ୍ ପଡ଼ିବା ଆରମ୍ଭ ହେଲା । ଧୀରେ ଧୀରେ ଲାଲ୍ ସୂର‌୍ୟ୍ୟ ଉପରକୁ ଉଠିଲା । ରାମୁ ପଚାରିଲା - ବାପା, ସୂର‌୍ୟ୍ୟ ଆମ ମୁଣ୍ଡ ଉପରେ ଥିଲେ ଲାଲ୍ ଦିଶେ ନାହିଁ । କିନ୍ତୁ, ଉଦୟ ହେବା ସମୟରେ କାହିଁକି ଲାଲ୍ ଦେଖାଯାଏ? ବାପା କହିଲେ - ସକାଳୁ ସକାଳୁ ସୂର‌୍ୟ୍ୟ ପାଖରୁ ଆମ ପାଖକୁ ଲାଲ୍ କିରଣ ଆସେ ବୋଲି ସୂର‌୍ୟ୍ୟ ଆମକୁ ଲାଲ୍ ଦିଶେ । ରାମୁ ପଚାରିଲା - ଆଉ ଅନ୍ୟ ସମୟରେ କଅଣ ଲାଲ୍ କିରଣ ଆସେ ନାହିଁ? ବାପା କହିଲେ – ହଁ, ଆସେ । ରାମୁ ବ୍ୟସ୍ତ ହେଇ ପଚାରିଲା - ତାହେଲେ ଅନ୍ୟ ସମୟରେ କାହିଁକି ଲାଲ୍ ଦେଖାଯାଏ ନାହିଁ ? ବାପା ଉତ୍ତର ଦେଲେ - ସକାଳୁ ସକାଳୁ ଅଧିକ ପରିମାଣରେ ଲାଲ୍ କିରଣ ଆସେ । କିନ୍ତୁ, ଅନ୍ୟ ସମୟରେ ଲାଲ୍ କିରଣ ସହିତ ଆହୁରି ଅନେକ ରଙ୍ଗର କିରଣ ଆସୁଥାଏ । ରାମୁ କହିଲା - ବୁଝି ପାରିଲିନି । ଭଲ କରି ବୁଝେଇ ଦିଅ । ବାପା କହିଲେ - ଆଚ୍ଛା, ଠିକ୍ ଅଛି । ତୁ ଜାଣିଥିବୁ ଯେ ସୂର‌୍ୟ୍ୟର ଧଳା କିରଣରେ ୭ଟା ରଙ୍ଗ ମିଶି ରହିଥାଏ । ରାମୁ କହିଲା - ହଁ, ମୁଁ ଜାଣିଛି । ସାତଟା ରଙ୍ଗକୁ ଆମେ କହୁ `ବାଘନୀସହଲାନାଌ୰୩୯; । ବାପା ଟିକିଏ ହସିଦେଇ କହିଲେ – `ହଲାନାଌ୰୩୯; ନୁହେଁ `ହନାଲାଌ୰୩୯; । ବାଘନୀସହନାଲା । ଏହାର ଅର୍ଥ ବାଇଗଣି-ଘନନୀଳ-ନୀଳ-ସବୁଜ-ହଳଦିଆ-ନାରଙ୍ଗୀ-ଲାଲ୍ । ସେସବୁ ରଙ୍ଗ ମିଶିଗଲେ ଧଳା ରଙ୍ଗ ସୃଷ୍ଟି ହୁଏ । ତେଣୁ ସୂର‌୍ୟ୍ୟକିରଣ ଧଳା । ରାମୁ ପ୍ରଶ୍ନକଲା - କିନ୍ତୁ, ତୁମେ କହିଲ ଯେ ସକାଳେ ସୂର‌୍ୟ୍ୟ ପାଖରୁ ଲାଲ୍ କିରଣ ଆସେ? ବାପା ଉତ୍ତର ଦେଲେ - ହଁ, ଅନ୍ୟ ରଙ୍ଗଗୁଡ଼ିକ ଅଟକି ରହିଯାଏ, ଆମ ପାଖରେ ପହଁଚି ପାରେ ନାହିଁ । ରାମୁ ପଚାରିଲା - ଅଟକିଯାଏ? କୋଉଠି ଅଟକିଯାଏ? ବାପା କହିଲେ - ଅନେକ ପ୍ରକାର ବାଷ୍ପକୁ ନେଇ ବାୟୁମଣ୍ଡଳ ତିଆରି ହୋଇଛି । ବାୟୁରେ ଛୋଟ ଛୋଟ ବାଷ୍ପକଣିକା ରହିଛି । ବାୟୁମଣ୍ଡଳ ଭିତରେ ସୂର‌୍ୟ୍ୟକିରଣ ଗତି କରିବା ସମୟରେ ସେହି କଣିକାଗୁଡ଼ିକ ଆଲୋକର କିଛି ଅଂଶକୁ ଶୋଷିନିଅନ୍ତି । ପରେ ସେହି ଆଲୋକକୁ ସବୁଦିଗକୁ ବିକିରଣ କରନ୍ତି । ତେଣୁ ବାଷ୍ପକଣିକା ଶୋଷି ନେଉଥିବା ଆଲୋକ ସିଧା ଆସି ନପାରି ଚାରିଆଡ଼କୁ ବିଛେଇ ହୋଇଯାଏ । ଏହି ଘଟଣାକୁ ଆଲୋକର ବିଚ୍ଛୁରଣ (ସ୍କାଟେରିଙ୍ଗ୍) ବୋଲି କୁହାଯାଏ । ରାମୁ ବ୍ୟସ୍ତ ହୋଇ ପଚାରିଲା - ଏମିତି ହେଲେ କଅଣ ସୂର‌୍ୟ୍ୟ ଲାଲ୍ ଦେଖାଯିବ? ବାପା ବୁଝେଇ ଦେଲେ - ବାୟୁକଣିକା କେଉଁ ରଙ୍ଗର ଆଲୋକକୁ କେତେ ଶୋଷିବ, ତାହା ନିର୍ଭର କରେ ଆଲୋକର ରଙ୍ଗ ଉପରେ । ସାତଟି ରଙ୍ଗ ବା-ଘ-ନୀ-ସ-ହ-ନା-ଲା ଭିତରୁ ପ୍ରଥମେ ରହିଥିବା ରଙ୍ଗଗୁଡ଼ିକୁ ବାୟୁକଣିକା ଅଧିକ ମାତ୍ରାରେ ଶୋଷି ନିଏ । ଶେଷ ଆଡ଼କୁ ରହିଥିବା ରଙ୍ଗଗୁଡ଼ିକ ଅଳ୍ପ ମାତ୍ରାରେ ଶୋଷିହୁଅନ୍ତି । ଅର୍ଥାତ୍ ବାଇଗଣି ବା ନୀଳ ରଙ୍ଗର ଆଲୋକ ଅଧିକ ମାତ୍ରାରେ ଶୋଷିହୁଏ । କିନ୍ତୁ, ଲାଲ୍ ରଙ୍ଗର ଆଲୋକ ସବୁଠାରୁ କମ୍ ଶୋଷିହୁଏ । ରାମୁ ପଚାରିଲା - ସେମିତି ହେଲେ କ`ଣ ହେବ? ବାପା ବୁଝେଇ ଦେଲେ - ସୂର‌୍ୟ୍ୟ ଉଦୟ ହେବା ସମୟରେ ସୂର‌୍ୟ୍ୟକିରଣର ଅଧିକ ବିଚ୍ଛୁରଣ ଘଟେ । ରାମୁ ପଚାରିଲା - କାହିଁକି? ବାପା କହିଲେ - ସୂର‌୍ୟ୍ୟ ଉଦୟ ବେଳେ ସୂର‌୍ୟ୍ୟକିରଣ ଭୂଇଁର ଅତି ନିକଟରେ ଗତି କରୁଥାଏ । ତେଣୁ ସେତେବେଳେ ବାୟୁକଣିକା ମଧ୍ୟରେ ସୂର‌୍ୟ୍ୟକିରଣ ଅଧିକ ସମୟ ଗତିକରେ । ଭୂଇଁ ନିକଟରେ ବି ଅଧିକ ବାୟୁକଣିକା ରହିଛି । ଫଳରେ ସୂର‌୍ୟ୍ୟ କିରଣରେ ଆସୁଥିବା ନୀଳ ରଙ୍ଗ ଅଧିକ ମାତ୍ରାରେ ଶୋଷି ହୋଇଯାଏ ଓ ଆମ ପାଖରେ ସୀଧାସଳଖ ପହଁଚି ପାରେନାହିଁ । କିନ୍ତୁ ଲାଲ୍ ଆଲୋକର ଖୁବ୍ କମ୍ ବିଚ୍ଛୁରଣ ହୁଏ ବୋଲି ଆମ ପାଖରେ ପହଁଚୁଥିବା ସୂର‌୍ୟ୍ୟକିରଣରେ ଅଧିକ ଲାଲ୍ ଆଲୋକ ଥାଏ । ଆମକୁ ଲାଗେ, ଯେମିତି ଖାଲି ଲାଲ୍ କିରଣ ସୂର‌୍ୟ୍ୟରୁ ଆସୁଛି । ରାମୁ ବ୍ୟସ୍ତ ହୋଇ କହିପକେଇଲା - ଓହୋ, ବୁଝିଲି । ସେଇଥି ପାଇଁ ସୂର‌୍ୟ୍ୟ ଆମକୁ ଲାଲ୍ ଦିଶେ । ପୁଅ ବ୍ୟସ୍ତ ହେବା ଦେଖି ବାପା ହସିଦେଲେ । କହିଲେ - ଠିକ୍ କହିଲୁ । ରାମୁ ଖୁସିରେ ପଚାରିଲା – ବାପା, ଏହି କାରଣ ପାଇଁ ସୂର‌୍ୟ୍ୟାସ୍ତ ସମୟରେ ବି ସୂର‌୍ୟ୍ୟ ଲାଲ୍ ଦେଖାଯାଏ କି? ବାପା ଖୁସି ହୋଇ କହିଲେ - ହଁ, ଠିକ୍ କହିଛୁ । ସେଇ ସମାନ କାରଣ ପାଇଁ ଅସ୍ତ ହେଉଥିବା ସୂର‌୍ୟ୍ୟ ଲାଲ୍ ଦେଖାଯାଏ । ଅସ୍ତ ବେଳେ ସୂର‌୍ୟ୍ୟକିରଣ ଅଧିକ ସମୟ ବାୟୁମଣ୍ଡଳ ଭିତରେ ଗତି କରିଥାଏ । ତେଣୁ ଅଧିକ ବିଚ୍ଛୁରଣ ଘଟେ ଓ ସୂର‌୍ୟ୍ୟ ଆମକୁ ଲାଲ୍ ଦେଖାଯାଏ । କିଛି ସମୟ ଚୁପ୍ ରହିଲା ପରେ ରାମୁ କହିଲା - ବାପା, `ବାଘନୀସହନାଲା` ସୂତ୍ର ଭିତରେ ପ୍ରଥମେ ବାଇଗଣି ରହିଛି । କିନ୍ତୁ, ତୁମେ ନୀଳ ରଙ୍ଗ କଥା କାହିଁକି କହୁଛ ? ବାପା କହିଲେ - ଭଲ କଥାଟିଏ ପଚାରିଲୁ । ଆମର ଆଖି ବାଇଗଣି ରଙ୍ଗକୁ ଭଲ ଭାବରେ ଦେଖିପାରେ ନାହିଁ । କିନ୍ତୁ, ନୀଳ ରଙ୍ଗକୁ ଭଲ ଭାବରେ ଚିହ୍ନି ପାରେ । ତେଣୁ ମୁଁ ନୀଳ ରଙ୍ଗକୁ ବେଶି ଗୁରୁତ୍ବ ଦେଉଛି । ରାମୁ ମୁଣ୍ଡ ହଲେଇ କହିଲା - ଓହୋ, ବୁଝିଲି । ସେତେବେଳକୁ ସେମାନେ ଘର ପାଖରେ ସମୁଦ୍ର କୂଳରୁ ଆସି ଘର ପାଖରେ ପହଁଚି ଯାଇଥାଆନ୍ତି । ରାମୁ ଜୋତା ବାହାର କରି ଘର ଭିତରକୁ ପଶିଲା । ବାପା ଝାଳ ପୋଛି ପୋଛି ବଗିଚା ଭିତରକୁ ପଶିଲେ । ∎ ଓଇଏସ୍-୧(ଫିଜିକ୍ସ୍), ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ଫୋନ୍-୯୪୩୯୫୦୧୬୫୧