ସତ କହି ସମସ୍ତଙ୍କୁ ଚକିତ କଲା ଚାର୍ଲୀ ରତ୍ନାକର ଦାସ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-ae046715ac.html ଅପରାହ୍ଣ ଚାରିଟା। ସାଇକେଲ୍ ଚଲାଇ ସ୍କୁଲ୍ ରୁ ଘରକୁ ଫେରୁଥିଲା ଚାର୍ଲୀ। କୌଣସି କାରଣରୁ ଅନ୍ଯ ମନସ୍କ ହେଇ ଯିବାରୁ ରାସ୍ତାରେ ଯାଉଥିବା ଏକ ମୋଟରସାଇକେଲ ସହିତ ତା`ର ଧକ୍କା ହେଲା। କଚାଡି ହେଇ ତଳେ ପଡିଗଲା ସିଏ। ତା ସାଇକେଲ ମଧ୍ଯ ଫିଙ୍ଗି ହେଇ ପଡିଲା ରାସ୍ତା କଡକୁ। ରାସ୍ତାରେ ଯାତାୟତ କରୁଥିବା ଲୋକ ମାନଙ୍କ ମଧ୍ଯରୁ କେଇଜଣ ଝିଅ ଛୁଆଟି ର ଏ ଅବସ୍ଥା ଦେଖି ଅଟକି ଯିବାରୁ ରାସ୍ତା ଭିଡ ହେଇଗଲା। ଅଳ୍ପ ଦୂରରେ ଥିବା ଛୋଟିଆ ବଜାର ରୁ କିଛି ଲୋକ ବି ଦୌଡି ଆସିଲେ ଘଟଣା ସ୍ଥଳକୁ। ଚାର୍ଲୀ ର ମୁଣ୍ଡ ,ହାତ ଓ ଗୋଡରୁ ରକ୍ତ ଝରୁଥାଏ। କିଏ ତାକୁ ଧକ୍କା କଲା ବୋଲି କିଏ କେମିତି ପଚାରି ହେଉଥିଲେ ତ ଆଉ କେତେକ କାନରେ ମୋବାଇଲ ଦେଇ ଆମ୍ବୁଲାନ୍ସ ଡାକୁଥିବା ର ଜଣା ପଡୁଥିଲା। ଯେଉଁ ଲୋକଟି ମୋଟରସାଇକେଲ ସହିତ ଚାର୍ଲୀର ସାଇକେଲ ଧକ୍କା ହେଇଥିଲା ସେ ଲୋକଟି ଚାର୍ଲୀକୁ ଡାକ୍ତରଖାନା ନେବାକୁ ଚାହିଁବାରୁ ଅନ୍ଯ କେତେକ ତାଙ୍କୁ ଘେରିଯାଇ ଧମକ ଦେଲେ।ଆଉ କିଏ କେମିତି ତାଙ୍କୁ ମାଡ ମାରିବାକୁ ମଧ୍ଯ ଉଦ୍ୟତ ହେବାରୁ ଚାର୍ଲୀ ତୁଣ୍ଡ ଖୋଲିଲା। କାନ୍ଦି କାନ୍ଦି କହିଲା,ଆପଣମାନେ ସେ ବାବୁ ଙ୍କୁ କିଛି କୁହନ୍ତୁ ନାହିଁ। ମୋ ନିଜ ଅସାବଧାନତା ପାଇଁ ମୁଁ ଏମିତି କଷ୍ଟ ଭୋଗିଲି। ସେ ବାବୁଙ୍କର କିଛି ଭୁଲ୍ ନାହିଁ। ଛୋଟ ଝିଅଟି ମୁହଁରୁ ଏମିତି ସ୍ପଷ୍ଟ କଥା ଶୁଣି ସେଠାକାର ଲୋକେ ଚକିତ ହେଇ ଯାଇଥିଲେ। ସେତେବେଳକୁ ଦମକଳ ପହଞ୍ଚି ଯାଇଥିଲା ଘଟଣା ସ୍ଥଳରେ।ଚାର୍ଲୀର ଘରଲୋକ ବି ପହଞ୍ଚି ଯାଇଥିଲେ।ଚାର୍ଲୀ ଡାକ୍ତରଖାନା ଯିବା ପରେ ଧକ୍କା ହେଇଥିବା ମୋଟରସାଇକେଲ ଲୋକ ଜଣକ ମଧ୍ଯ ନିଜର ମାନବିକତା ଦୃଷ୍ଟିରୁ ଡାକ୍ତରଖାନା ଯାଇଥିଲେ। କ୍ଷତ ସ୍ଥାନରେ ବ୍ୟାଣ୍ଡେଜ ଗୁଡାଇ ଔଷଧ ଓ ଇଞ୍ଜେକସନ୍ ଦେବାର କିଛି ସମୟ ପରେ ଚାର୍ଲୀ ଘରକୁ ଫେରିଲା। ସିଏ ଏବେ ସ୍କୁଲ୍ ଗଲାଣି। ତା`ର ସ୍ପଷ୍ଟବାଦୀତା ପାଇଁ ସେ ଅଞ୍ଚଳର ଲୋକେ ତା`ର ପ୍ରଶଂସା ଗାନ କରୁଛନ୍ତି। ∎ ସଭାପତି ଉତ୍କଳମଣି ଶିଶୁ ସାହିତ୍ୟ ସମିତି,ଶଂଖୋ, କେନ୍ଦୁଝର।