ନାମଟି ତାଙ୍କର ଦୁର୍ଗାବାଈ ଅନନ୍ତ କୁମାର ସେନାପତି ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-abb4ed8af5.html ବାହାରିଲି ଦେଖି ଦୁରୁଗା ପୂଜା ଯାତରା ଭିଡ଼ରେ ଲାଗିବ ମଜ୍ଜା, ଦେଖିଲି ବାଟରେ ବୁଢ଼ୀ ଗୋଟିଏ ଆଲୁରୁ ବାଲୁରୁ ଚେହେରା ଦିଶୁଛି ବାବୁ ବାବୁ କହି ମାଗୁଛି ସିଏ । ନାମ ଟି ତାହାର ପଚାରେ ଯାଇ କହିଲା ନାମଟି ଦୁରୁଗାବାଈ, ଶୁଖିଲା ମୁହଁ ଟି ତାହାର ଦେଖି କଅଁଳ ପାଦ ମୋ ଗଲା ଅଟକି । ଟିକି ମନ ମୋର ବଦଳି ଗଲା, ପଚାରେ କାହିଁକି ଏପରି ହେଲା ! କହିଲା ତାହାର ନାହାନ୍ତି କେହି ଆଠ ଦିନ ହେଲା ଉପାସ ରହି, ପାଉନାହିଁ ବଳ କେଉଁଠି ଯିବି କାହା ପାଖେ ଦୁଃଖ କହି ପାରିବି ! ଆସୁଥିଲା ଭାସି ମଧୁର ଗୀତ ଶକ୍ତି ରୂପିଣୀ ମନ୍ତ୍ର ସହିତ, ବୁଢ଼ୀ ମାଆ ଛାଡ଼ି କିପରି ଯିବି ଦୁରୁଗା ମୂରତି ପରେ ଦେଖିବି । ଯାହା ଥିଲା ଘରେ ଆଣିଲି ଧରି ବାଳୁତ ଟେ ବୋଲି ମନେ ନ କରି, ଦେଖିଲି ନାହାନ୍ତି ସେ ସ୍ଥାନ ଶୂନ୍ୟ ଚନ୍ଦନ, ଅଗୁର ବାସେ ସେ ସ୍ଥାନ । ଯାତରା ଭିଡ଼ ରେ ଦେଖିଲି ଯାଇ ଅପରୂପ ଦୃଶ୍ୟ ପାରୁନି କହି, ଯେଉଁ ବୁଢ଼ୀ ଥିଲେ ଭୋକ ରେ ବସି ସେହି ବୁଢ଼ୀ ମାଆ ଦୁରୁଗା ରୂପରେ ଧରିଛନ୍ତି ଦଶ ହାତରେ ଅସି । ମାଆ ଲୋ ମାଆ ତୁମକୁ ବୁଝି ମୁଁ ପାରୁନି କିଆଁ ! କେବେ କେଉଁ ରୂପେ ହୁଅ ଯେ ଠିଆ । ଯେଉଁ ରୂପେ ତୁମେ ମରତେ ଥାଅ ହିଂସା, ଲୋଭ, ଗର୍ବ ବିନାଶି ଯାଅ, ସମରପି ଦେଲି ସକଳ ଜୀବନ ପଣତ କାନିରେ ଘୋଡାଇ ଥାଅ । ∎ ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର ସୁନ୍ଦରଗଡ଼ । ଫୋନ 7008304225