ଭୂତ ଉମାକାନ୍ତ ବେହେରା ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-9ed1665855.html ଜେଜେମା`କୁ ମୋର ହେଲାଣି ନବେ ଆଖିରେ ଚଷମା ପିନ୍ଧିନି କେବେ ବାଉଁସ ଠେଙ୍ଗାଟେ ହାତରେ ଧରି ଡଗ ଡଗ ଯାଏ ଦାଣ୍ଡରେ ଚାଲି ଖାଲି ପାଦରେ କି ଖରା ବରଷା ଅବା ଶୀତରେ l ରାତି ନପାହୁଣୁ ଉଠି ପଡିବ ତାଟିଖୋଲି ନିଜେ ବାହାରି ଯିବ ଡାକେ ବାଟ ଗଲେ ନୂଆ ଗଡିଆ ଖାଲି ହିଡ଼ ବାଟ ନାହିଁ ପଡିଆ ପୋଖରୀ ପାଣି ସାରିବ ଗାଧୁଆ ପାଧୁଆ ପୁଣି l ଘରେ ଘରେ ପାଇଖାନା ହେଲାଣି ଯେତେ କହିଲେବି ମୋଟେ ମାନୁନି ବଦଳେଇ ଦେଲା ଘଟଣାଟିଏ ସେଦିନୁ ବାହାର ଆଉ ନଯାଏ ସଭିଏଁ ଖୁସି ଯେ ଶୁଣେ ଘଟଣା ଦିଅଇ ହସି l ସେଦିନ ବାଟରୁ ଆସିଲା ଫେରି ଦେଖିଲେ ଜେଜେମା ଯାଇଛି ଡରି ପିଇ ଦେଲା ପାଣି ଅଧ ବେଲାଏ ବିଞ୍ଚି ପକାଇଲା ନାତୁଣୀ ବହେ କଅଣ ହେଲା ଭୂତ ଭୂତ କହି ମୁରୁଚ୍ଛା ଗଲା l ଚେତା ପାଇଁ ବୁଢ଼ୀ ଉଠିଲା ବସି ଘର ଲୋକ ଦେଲେ ଘସି ଆଉଁସି ପଚାରିଲେ ତାଙ୍କୁ କଅଣ ହେଲା, "ମୋ`ଆଗେ ଆଗେ ଭୁତଟେ ଥିଲା " ଲାଗିଲା ଡର ମୁଣ୍ଡ ଲାଗିଥିଲା ଆକାଶେ ତାର l ମୁଁ ଚାଲୁଥିଲେ ଚାଲିବ ସିଏ ମୁଁ ଅଟକିଲେ ଅଟକି ଯାଏ ମୁଣ୍ଡ ଦେହ ତାର ଦିଶୁନି କିଛି ଖାଲି ଗୋଡ଼ଟାରେ ଚାଲି ଯାଉଛି ମନ ବିକଳ ଦେହୁ ବାହାରିଲା ସରମ ଝାଳ l ପାଦ ଚିପି ଚିପି ପଡିଲି ବୁଲି ଭୂତ ମୋ`କଥା ଯାଇଛି ଭୁଲି ଘରମୁହାଁ ସିଧା ଆସୁଛି ଫେରି କଣେଇ ଚାହିଁଲି ଟିକିଏ ଡରି ହାଉଳି ଖାଇ ଦେଖିଲି ପଛରେ ଆସୁଛି ଧାଇଁ l ଘର ପରିବାର ବିଚାର କଲେ ଭୂତଟେ କେଉଁଠୁ ଆସିବ ଭଲେ l ଭୂତଫୁତ କଣ ସତରେ ଥାଏ ଡରିଗଲେ ମିଛ ଭୂତ ଗୋଡ଼ାଏ ଛାଇ ନିଜର ଭୂତ ଭାବି ପଶି ଯାଇଛି ଡର l   ପୁନେଇଁ ପାହାନ୍ତା କାଳୀ ଜହ୍ନିଆ ନିଜ ଛାଇ ଦେଖି ବୁଢ଼ୀ ଛାନିଆ ଲେଉଟିଲା ବେଳେ ପଛରେ ଛାଇ ଭୂତ ବୋଲି ଭାବି ହାଉଳିଖାଇ l ବୁଝିଲେ ପରେ ବୁଢ଼ୀ ଶୌଚବାଚ ସେଦିନୁ ଘରେ l ∎ ଶ୍ରୀହରି ବିହାର, ଗହ୍ମାରିଆ, କେଉଁଝରଗଡ଼