ଅନୁକମ୍ପା ରାଧାମାଧବ ରଥ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-9ac96d506b.html ଶ୍ରାବଣ ମାସ।ତୁହାକୁତୁହା ବର୍ଷା ହେଉଥାଏ। ଚାରିଆଡେ ଜଳାର୍ଣ୍ଣବ। ବନ୍ଯାଜଳରେ ଗାଁଗଣ୍ଡା ଭାସିଗଲାଣି।ନଈବନ୍ଧ ଭାଙ୍ଗି ବନ୍ଯାଜଳ ଗାଁରେ ପଶିଗଲାଣି।ଲଗାଣ ବର୍ଷାରେ ଗାଁ ଲୋକେ ଥଳକୂଳ ପାଉନାହାନ୍ତି।ଏପରିକି ଜୀବଜନ୍ତୁମାନେ ମଧ୍ଯ। ଏହି ସମୟରେ ବନ୍ଯାଜଳରେ ଭାସିଯାଉଥିବା ଏକ ଚାଳଘରର ମଥାନ ଉପରେ ବସିଥିବା ଗୁଣ୍ଡୁଚିମୂଷାଟିଏ ଭୟାତୁର ହୋଇ ନିଜର ଜୀବନରକ୍ଷା କଥା ଚିନ୍ତା କରୁଥାଏ। ଯୁଆଡେ ଦେଖିବ ସିଆଡେ ପାଣି ! ଏବେ ସେ କରିବ କଣ? ମୃତ୍ଯୁ ଅନିବାର୍ଯ୍ଯ। ମୃତ୍ଯୁ ଯେପରି ତାପାଇଁ ପାଖେଇ ଆସୁଛି। ହଠାତ୍ ନଈବନ୍ଧ ଉପରେ ଥିବା ମାଈ ବତକଟିଏ ଦୂରରୁ ଗୁଣ୍ଡୁଚିମୂଷାର ଏ ପ୍ରକାର ଅବସ୍ଥା ଲକ୍ଷ୍ଯ କରି ପାରିଲା।ମନେମନେ ଭାବିଲା,ମୁଁ ଯଦି ଗୁଣ୍ଡୁଚିମୂଷାକୁ କୌଣସି ମତେ ରକ୍ଷା କରିପାରିବି ତେବେ କେତେ ଭଲ ହୁଅନ୍ତା ? ଏହା ଚିନ୍ତାକରି ନିଜ ଜୀବନକୁ ବିପନ୍ନ କରି ନଈର ପ୍ରଖର ସ୍ରୋତକୁ ଖାତିରି ନ କରି ଗୁଣ୍ଡୁଚିମୂଷା ଆଡକୁ ପହଁରିବାକୁ ଆରମ୍ଭ କଲା।ନିଜର ଛୁଆମାନଙ୍କ କଥା ବି ଭୁଲି ଗଲା।କୌଣସି ମତେ ବିଳମ୍ବ ହେଲେ ସୁଦ୍ଧା ସେ ଗୁଣ୍ଡୁଚିମୂଷା ନିକଟରେ ପହଞ୍ଚି ପାରିଲା।ଗୁଣ୍ଡୁଚିମୂଷାଟିକୁ ନିଜ ପିଠିରେ ବସିବାକୁ ବତକଟି ଯେପରି ସଙ୍କେତ ଦେଲା।ଗୁଣ୍ଡୁଚିମୂଷାଟି ଅବିଳମ୍ବେ ବତକ ପିଠିରେ ବସି ପଡିଲା।କିଛି ସମୟ ପରେ ବତକଟି ଗୁଣ୍ଡୁଚିମୂଷାକୁ ପିଠିରେ ବସାଇ ଜଳସ୍ରୋତକୁ କାଟି ଧୈର୍ଯ୍ୟର ସହ ନଈକୂଳରେ ପହଞ୍ଚି ପାରିଲା।ଗୁଣ୍ଡୁଚିମୂଷାଟି ବତକଟି ଉପରେ ଅତ୍ଯନ୍ତ ଖୁସି ହୋଇ କହିଲା,ବତକ ଭଉଣୀ ! ତୁମେ ମୋତେ ନିଶ୍ଚିତ ମୃତ୍ଯୁରୁ ରକ୍ଷା କରିପାରିଲ। ମୁଁ ବା ତମକୁ କଣ ସାହାଯ୍ଯ କରି ପାରିବି ? ମୁଁ ଏକ କ୍ଷୁଦ୍ର ଜୀବ।ଏହା କହି ସଙ୍ଗେସଙ୍ଗେ କୂଳନିକଟରେ ଥିବା ଏକ ବିରାଟ ଜାମୁକୋଳି ଗଛ ଉପରକୁ ଉଠିଯାଇ ବତକଆଡକୁ ମୁହଁ କରି କହିଲା,ବାସ୍ତବିକ ମୁଁ ତମର ଋଣ ଶୁଝି ପାରିବି ନାହିଁ।ତଥାପି ତମ କଥା ମନେ ରହିଲା।ଆବଶ୍ୟକ ସମୟରେ ତମ ମନ କଥା ବୁଝିବି।ଏହା କହି ଗଛରେ ଫଳିଥିବା କେତୋଟି ଜାମୁକୋଳି ନିଜହାତରେ ତଳେ ପକାଇ ଦେଲା।ବତକଟି ତାହାକୁ ପାଇ ଅତ୍ୟନ୍ତ ଖୁସି ହେଲା।ତା ପରେ ସେ ଆସ୍ତେଆସ୍ତେ ଉଚ୍ଚ ସ୍ଥାନରେ ଥିବା ନିଜର ଛୁଆ ମାନଙ୍କ ପାଖକୁ ଚାଲିଗଲା। ବିପଦ ସମୟରେ ଜଣେ ଅନ୍ଯ ଜଣକୁ ଅନୁକମ୍ପା ଦେଖେଇବା ପ୍ରତ୍ୟେକ ଜୀବର କର୍ତ୍ତବ୍ଯ ଅଟେ।ଏହା ହିଁ ବତକଟି ସମସ୍ତଙ୍କୁ ଶିକ୍ଷା ଦେଲା। ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ।