ନିଜଘର ସୁଖ କାହିଁ ନମିଳେ ଲକ୍ଷ୍ମୀପ୍ରିୟା ଦାସ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-97c34aa887.html ଗୁଣ୍ଡୁଚି ଆଣିଲା ବାଦାମ ଖୋଳି ମାଟି ହୋଇଗଲା ଦେହରେ ବୋଳି ପୋଖରୀ ପାଣିରେ ଧୋଇହେଲାନାହିଁ ଭାବିଲା ହୋଇବ ପୋଖରୀ ଗୋଳି। ଡେଇଁ ଡେଇଁ ଗଲା ତଟିନୀ କୂଳେ ଘଡିଏ ବସିଲା ପୋଲାଙ୍ଗ ମୂଳେ ଫେରିବା ବାଟରେ ବୁଦା ଗହଳରୁ ତୋଳିଲା କଣ୍ଟେଇ କୋଳିରୁ ପୁଳେ। ବାୟା ବସିଥିଲା ତାଳଗଛରେ ଦୋଳି ଖେଳୁଥିଲା ଛୁଆ ପଛରେ ବସାରେ ତାହାର ଅତିଥି ହେବାକୁ ଗୁଣ୍ଡୁଚିକୁ ଡାକି କହେ ଆଦରେ। ଗୁଣ୍ଡୁଚିର ନାହିଁ ସମୟ ତିଳେ କେତେ କାମ ତାର ଆପଣା ବିଳେ କଣ୍ଟେଇ କୋଳିରୁ ଫାଳେ ଯାଚି କହେ ନିଜ ଘର ସୁଖ କାହିଁ ନମିଳେ। ∎ ସୁଦର୍ଶନ ନଗର ପୁରୀ-୭୫୨୦୦୨