ସପନ ମୋ ଭାଙ୍ଗିଯାଏ ଜୟନ୍ତିକା ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-953a3ffb60.html ବିଶ୍ଵମ୍ଭର ନାମ ତାର ଡାକ ନାମ ବିଶି ଦେହ ଦିଶେ ନଡ଼ନଡ଼ ମୁହଁ ଖୁସି ଖୁସି । ଧରିଥାଏ ବାଡ଼ି ଖଣ୍ଡେ ନିଜ ଠାରୁ ବଡ଼ ବାଡି ଚାରିପଟେ ବେଢିଥାଏ ତାର ଗୋଡ଼ । ଆମେ ଯେବେ ଖେଳୁ ଥାଉ ଏକା ଥାଏ ବସି ପାଖରେ ଶୁଆଇ ବାଡ଼ି ତାଳି ମାରେ ହସି । ଖେଳୁଖେଳୁ ବଲ ଯଦି ଗଡ଼ି ଯାଏ କେବେ ନଇଁ ପଡ଼ି ଗୋଟେଇକି ଫିଙ୍ଗିଦିଏ ତେବେ । ତା ଆଖିରେ କଣ ଥାଏ ମୁଁ ତାରେ ଚାହେଁ ଘଡ଼ିଏ ଉଦାସ ହୋଇ କାହିଁକି ବା ରହେ । ସପନରେ ଦେଖେ ମୁହିଁ ହୋଇଛି ଡାକ୍ତର ବଙ୍କା ଗୋଡ଼କୁ ସଜାଡ଼ି ପାରୁଛି ବିଶିର । ବିଶି ଚାଲୁଛି ଦର୍ପରେ କଥା କହିକହି ହାତରେ ତା ଡେଙ୍ଗା ବାଡ଼ି ଆଉ ଦିଶୁ ନାହିଁ । ସପନ ମୋ ଭାଙ୍ଗିଯାଏ କାହାର ଡାକରେ କବାଟ ଖୋଲିଲେ ବିଶି ଦୁଆର ପାଖରେ ।