ଟିକି ବଗିଚାର ଫୁଲ କଢି ରତ୍ନାକର ନାୟକ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-943d440ace.html ଟିକି ବଗିଚାର ଫୁଲ କଢି ଅତି ଯତନେ କେ ଦେଲା ଗଢି। ପାଖୁଡ଼ା ମେଲିଲେ ହସିହସି ସରଗରୁ ସୁଧା ପଡେ ଖସି। ବାଉଳା ହୁଅଇ ମହୁମାଛି ପରଜାପତିଏ ନାଚିନାଚି । ଖେଳିବେ ତୋ ସାଥେ ଡାଳେ ଝୁଲି ଗୁଣୁ ଗୁଣୁ ଗୁଣୁ ଗୀତ ବୋଲି। ସେମାନେ ତୋଅର ସାଥୀ,ମିତ ସାଧୁଥାନ୍ତି ସଦା ଆନ ହିତ। ପର ଉପକାରେ ଯା`ର ମନ ସେଇ ସିନା ଏକା ସାଧୁ ଜନ । କରମ ଜୀବନ ମାପକାଠି ଯଶ ନମିଳିଲେ ସବୁ ମାଟି। ଜୀବନ କାଳ ତୋ ଲମ୍ବା ନୁହେଁ ହେଲେ ରୂପ,ଗୁଣ ମନ ମୋହେ । ଅଧିକ ବରଷ କେହି ବଞ୍ଚି ନାଆଁ ରଖିଛି କି ଧନ ସଞ୍ଚି । ମରତକୁ ଦାନ ତୋର ମହୁ ସରିବନି ଗୁଣ ଯେତେ କହୁ । ଆମେ ପିଲାମାନେ ବେଳ ଜାଣି ଘାସ ବାଛି ଗଛେ ଦେବୁ ପାଣି । ଅକାଳେ ଯିବୁନି ଝଡି ପଡ଼ି ସକାଳେ ଫୁଟିବୁ ଫୁଲ କଢି। ∎