ପରିଶୋଧ ରାଧାମାଧବ ରଥ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-9069de7151.html ଭୁବନେଶ୍ବରର କୌଣସି ଏକ ଡାକ୍ତରଖାନା। ଝିଅଟିଏ ମୁଣ୍ଡରେ ହାତ ଦେଇ ବସିଥାଏ। ଡାକ୍ତର ଯେଉଁ ମେଡିସିନ ଲେଖିଛନ୍ତି ତାକୁ କିିଣିବାକୁ ହେଲେ ଅନେକ ଟଙ୍କା ଦେବାକୁ ପଡିବ। ମାତ୍ର ଏତେ ଗୁଡାଏ ଟଙ୍କା ଆଣିବ କେଉଁଠୁ ? ପାଖରେ ଟଙ୍କାଟିଏ ବି ନାହିଁ। ବାପା ବ୍ରେନ୍ ଷ୍ଟ୍ରୋକରେ ଡାକ୍ତରଖାନାରେ ପଡିଛନ୍ତି। ଚେତା ଏ ପର୍ଯ୍ୟନ୍ତ ଫେରିନାହିଁ। ଡାକ୍ତର କହିଛନ୍ତି, ତାଙ୍କର ଯଦି ଚେତା ନ ଆସେ, ତେବେ ପାରାଲେସିସ୍ ଆଡକୁ ଗତି କରିବ। କିଛି ସମୟ ପରେ ସେ ଝିଅଟି ମେଡିସିନ ଷ୍ଟୋରର ମ୍ୟାନେଜରଙ୍କୁ କହିଲା, ମହାଶୟ !ବାପା ଭଲ ହୋଇ ଗଲେ ମୁଁ ସମସ୍ତ ଟଙ୍କା ପରିଶୋଧ କରିଦେବି। ସେଲ୍ସମ୍ୟାନଟି ଟିକିଏ ହସି ଦେଇ କହିଲେ, ମେଡିସିନ ବାବଦକୁ ଟଙ୍କା ଦେବା ଦରକାର ନାହିଁ। ଡାକ୍ତର ବାବୁ ଆଗରୁ ଦେଇ ସାରିଛନ୍ତି। ତୁମେ ଏଥର ତୁମ ବାପାଙ୍କୁ ଦେଖାକରିବାକୁ ଯାଇପାର। ଝିଅଟି ଡାକ୍ତରଙ୍କ ପାଖକୁ ଗଲାବେଳକୁ ବାପା ଟିକିଏ କଥା କହିବା ଆରମ୍ଭ କଲେଣି। ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲା। ଝିଅଟି ଡାକ୍ତରଙ୍କୁ ସଂଭ୍ରମେ ପଚାରିଲା, ସାର୍ ଆପଣ ଏତେ ଗୁଡାଏ ଟଙ୍କା .........। ଡାକ୍ତର କହିଲେ, ମୁଁ ଦେଇ ନାହିଁ,ପରିଶୋଧ କରିଛି ମାତ୍ର। ତୁମେ ସେତେବେଳେ ଖୁବ୍ ଛୋଟ ଥିଲ। ମୋତେ ସେତେବେଳେ ଖାଇବାକୁ ମିଳୁନଥିଲା। ବାପା ମାଆ ଶଯ୍ଯାଶାୟୀ ଥିଲେ। ବାପା ତୁମର ଏକ ହୋଟେଲ ଚଲାଉଥିଲେ। ସେ ତାଙ୍କ ନିଜ ହାତରୁ ଟଙ୍କା ଦେଇ ମୋତେ ଓ ମୋ ବାପାମାଆଙ୍କୁ ବଞ୍ଚାଇଥିଲେ। ସେଇ ପିଲାଟି ହେଉଛି ମୁଁ।ନିଜର ପରିଶ୍ରମ ଓ ଭାଗ୍ଯ ବଳରୁ ମୁଁ ଡାକ୍ତର ହୋଇ ପାରିଛି। ଏବେ ମୁଁ ତାଙ୍କ ପାଖରୁ କରିଥିବା ଊଣ ପରିଶୋଧ କରୁଛି ମାତ୍ର। ଝିଅଟି ଆଉ କିଛି କହି ପାରି ନ ଥିଲା। କଥାରେ କହନ୍ତି, ଦେଇଥିଲେ ପାଇ। ବିକଳ ନୟନରେ ବାପାଙ୍କୁ ଚାହିଁଥାଏ ମାତ୍ର। ∎ ଭର୍ତ୍ତୁର, ବାଲାଗେର, ବାଙ୍ଗାଲୋର, କର୍ଣ୍ଣାଟକ ମୋ 94371 81196.