ଭଲ ପାଇଲେ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8eb3d84559.html ଶିଶୁ ମୁଖରେ ଫୁଟଇ ହସ ଭଲ ପାଇଲେ ମାଆ , ଫୁଟଇ ଯେହ୍ନେ କଢ଼ରୁ ଫୁଲ ବାସ ଫୁଟାଏ ବାଆ । ଛୋଟ ଗଛକୁ ଭଲ ପାଇଲେ ହୁଏ ସେ ମହାଦ୍ରୁମ, ଫୁଲ ଫଳରେ ଛାଇ ପରଶି ମୋହେ ବାଟୋଇ ମନ । ପଶୁପକ୍ଷୀଙ୍କୁ ପାଖରେ ପାଳି ପାଇବା ଯେବେ ଭଲ, ଉପକାର ସେ କରନ୍ତି କେତେ ନ ଥାଏ ତାର ମୂଲ । ଅସହାୟକୁ ପାଇଲେ ଭଲ ସୁଖରେ କଟେ ଦିନ, ସୁଫଳ ମିଳେ ସହାୟତାକୁ ଉତ୍ଥାନ ହୁଏ ଦାନ । ପରିବାରରେ ଭଲ ପାଇଲେ ସାନମାନଙ୍କୁ ବଡ଼ , ସଜାଇ ଚାଲେ ଚାଲିବା ବାଟ ନ ଝୁଣ୍ଟେ କଣ୍ଟାବ।ଡ଼ । ବୁଢ଼ା ବୁଢ଼ୀଙ୍କୁ ପାଇଲେ ଭଲ ମିଳଇ ଆଶୀର୍ବାଦ , ତାଙ୍କ ଆଶିଷ ବଢାଇ ଦିଏ ଆଗକୁ କେଇ ପାଦ । ଘରକୁ ଯଦି ପାଇବା ଭଲ ସତେ ସରଗ ପୁର, ଭଲ ପାଇବା ଗୁଣଟି ଭଲ ସୁଖରେ ସ୍ବପ୍ନ ତା`ର । ଏପରି ମନ ସଦା ପ୍ରସନ୍ନ ପାଖରେ ଯା`ର ମିଳେ, ଜୀବନ ତା`ର ବଦଳି ଯାଏ ପ୍ରଭୁଙ୍କ ଦୟା ବଳେ । ∎ ମଣ୍ଡଳ ସହ ଶିକ୍ଷା ଅଧିକାରୀ ,ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।