ଆସ ଆମେ ହଜିଯିବା ଡକ୍ଟର ସଚ୍ଚିଦାନନ୍ଦ କର ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8e9106f35d.html ଦି`ହଜାର ଚବିଶିକି ଦେଖ ଦେଖ ମିତରେ ଆସିଥିଲା ଶୀତରେ ସେ ଯାଉଛି ବି ଶୀତରେ ।। ଯାଉ ଯାଉ ଗାଉଛି ସେ ଗୀତଟିଏ ଶୀତର କାକର ଟୋପାରେ ଭିଜେ ପଦ ସେହି ଗୀତର ।। ବିତିଗଲା ବାର ମାସ ସରିଗଲା ଦିନ ତା` ହେଲେ ସିଏ ସବୁଠାରେ ଛାଡ଼ିଗଲା ଚିହ୍ନ ତା` ।। ଆସିଥିଲା ସାଥେ ଆଣି ସୁଖ ଦୁଃଖ ପସରା କାହାକୁ ସୁଖ କାହାକୁ ଦେଲା ଦୁଃଖ ଅସରା ।। ସୁଅ ପରି ଚାଲିଥାଏ ସମୟଟା ଏମିତି କେଉଁଆଡ଼େ ହଜିଯାଏ କେଜାଣି ସେ କେମିତି ।। ଦି`ହଜାର ପଚିଶିଟି ଦେଖ ପୁଣି ମିତରେ ସିଏ ବି ଆସୁଛି ସେଇ ଦେହଥରା ଶୀତରେ ।। ଆଣୁଛି ସେ ନୂଆ ଆଶା ନୂଆ କିଛି ପୁଲକ ତା` ବାଟ ବସିଛି ଚାହିଁ ଆମ ଗାଆଁ ମୂଲକ ।। ସହର ବି ରାତି ରାତି ନିଦ ତା`ର ହଜେଇ ନୂଆ ରଙ୍ଗରୂପରେ ସେ ହୋଇଲାଣି ସଜେଇ ।। ଦୁହିଙ୍କର ଏଇ ଯିବା ଆସିବାର ବେଳରେ ଆସ ଆମେ ହଜିଯିବା ସାଙ୍ଗସାଥି ମେଳରେ ।। ∎ ନିର୍ମାଲ୍ୟ ନୂଆପଡ଼ା, ନୟାବଜାର, କଟକ - ୦୪ ମୋ. - ୯୮୬୧୨୧୧୦୫୧