ଆମ ଜେଜେ ସୁଜିତ କୁମାର ମିଶ୍ର ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8d314a0960.html ହାତେ ଧରି ବାଡି ଆକଟ କରନ୍ତି ସକାଳରୁ ସଞ୍ଜ ଯାଏ, ଅବୁଝା ହୋଇଲେ ଗାଳି ଦେଇ ସାରି ଦୁଃଖ କରିଥାନ୍ତି ସିଏ । ଗୋଡ ତଳେ ବସି ଭୁଲ ମାଗୁ ତାଙ୍କୁ ଧରି ଆମ ଦୁଇ କାନ, ତାଙ୍କ ରାଗ ରୋଷ ଉଭେଇ ଯାଏଟି ତୁଟେ ସବୁ ଅଭିମାନ । ସିଏ ଆମ ଜେଜେ ଘରର ମୁରବି ସବୁକୁ ନିଅନ୍ତି ସହି, ଅମାପ ସେନେହ ଶରଧା ତାଙ୍କର ଆମ ବାଧା ନିଏ ଧୋଇ । ବଡ ବଡ ନିଶ ଆଖିରେ ଚଷମା ଜେଜେଙ୍କ ଥନ୍ତଲା ପେଟ, ଅଶୀ ବୟସେ ବି ହସରେ ଖୁସିରେ ସହଜେ ଚାଲନ୍ତି ବାଟ । ପଢନ୍ତି ପୁରାଣ ଗୀତା ଭାଗବତ ଗାଧୋଇ ସାରିବା ପରେ, ନୀତିଶିକ୍ଷା କେତେ କହନ୍ତି ବୁଝାଇ ମଜା ଗପ ମାଧ୍ୟମରେ । ଜେଜେମା କହନ୍ତି ତୁମ ଜେଜେ ପରା ପରାଧୀନ ବେଳ ଲୋକ, ତାଙ୍କ ଠାରେ ଦେଖୁ ଗାନ୍ଧୀ ଗୋପବନ୍ଧୁ ନେତାଜୀଙ୍କ ନୀତି ଯାକ । ଆମ ଜେଜେ ପାଇଁ ଘରଟି ସତେକି ଲାଗଇ ସରଗ ସମ ସକଳେ ନମିବା ତାଙ୍କ ଚରଣରେ ସେ ପରା ଦେବତା ଆମ । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨