ବେଙ୍ଗର ଶୀତନିଦ୍ରା ଡକ୍ଝର କମଳାକାନ୍ତ ଜେନା ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-8a867a12fb.html ବେଙ୍ଗ ଉଭୟଚର ଜୀବ, କାରଣ ସେ ପାଣି ଭିତରେ ବଂଚିପାରିବ ଓ ପାଣି ବାହାରେ ବି ବଂଚିପାରିବ । କେବଳ ସେତିକି ନୁହେଁ, ମରୁଭୂମିରେ ରହିପାରିବ, ସମୁଦ୍ରରେ, ଜଙ୍ଗଲରେ ଓ ମେରୁ ଅଂଚଳରେ ମଧ୍ୟ ରହିପାରିବ । କିନ୍ତୁ ଶୀତ ଦିନଟା ସେମାନଙ୍କ ପାଇଁ କାଳ ହୁଏ । ଯେଉଁ ଅଂଚଳରେ ଶୀତ ଦିନେ ବରଫ ପଡେ, ସେଠାରେ ଶୀତ ଆସିଲେ ବେଙ୍ଗମାନେ ବୁଲାବୁଲି ନକରି ଅଖିଆ ଅପିଆ ଦିନରାତି ଶୋଇ ରହନ୍ତି । ଏହି ପ୍ରକ୍ରିୟାକୁ ବେଙ୍ଗର `ଶୀତନିଦ୍ରା` (ହାଇବରନେସନ୍) କୁହାଯାଏ । `ଶୀତନିଦ୍ରା` ପାଇଁ ବେଙ୍ଗର ଶରୀର ଦାୟୀ । ବାହାରର ତାପମାତ୍ରା ଅନୁସାରେ ତା` ଶରୀରର ତାପମାତ୍ରା ବଦଳିଥାଏ । ଶୀତଦିନେ ବରଫ ପଡୁଥିବା ଅଂଚଳରେ ବାହାରର ତାପମାତ୍ରା ବହୁତ କମିଯାଏ । ପାଖାପାଖି ଶୂନ ଡିଗ୍ରୀ ସେଂଟିଗ୍ରେଡ୍ କୁ ଖସିଆସେ । ତେଣୁ ବେଙ୍ଗ ଶରୀରର ତାପମାତ୍ରା ବି କମିଯାଏ । ଶରୀରର ତାପମାତ୍ରା କମିଗଲେ ଶରୀର ଭିତରେ ବଂଚିବା ପାଇଁ ହେଉଥିବା ବିଭିନ୍ନ ପ୍ରକ୍ରିୟା ମନ୍ଥର ହୁଏ । ଅତ୍ୟଧିକ ଥଣ୍ଡା ହେଲେ ଶାରୀରିକ ପ୍ରକ୍ରିୟା ବନ୍ଦ ହୋଇଯିବ ଓ ତା`ର ଜୀବନ ଯିବ । ସେ ଯଦି ଅତି ଶୀତରୁ ରକ୍ଷା ପାଇବାର ଉପାୟ ଜାଣିବ ନାହିଁ, ତେବେ ଅସୁବିଧା ହେବ । ବରଫ ପଡୁଥିବା ଅଂଚଳରେ ଶୀତଦିନ ସରିଲା ବେଳକୁ ସେ ମରିଯିବ । କିନ୍ତୁ, ଶୀତଦିନ ସରିଲା ପରେ ସେ ବଂଚିଥାଏ । କାରଣ, ଶୀତଦିନେ ଅତି ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ସେ ମାଟି ତଳେ କିମ୍ବା ପାଣି ତଳେ କାଦୁଅରେ ପୋତି ହୋଇ ରହେ । ମାଟି ତଳକୁ ଯାଇ ଆଖି, ପାଟି ଓ ନାକ ବନ୍ଦ କରି ଚୁପ୍ ଚାପ୍ ଶୋଇରହେ । କେତେକ ବେଙ୍ଗ ଫଟା ଭୂଇଁରେ କିମ୍ବା ଗଛ କୋରଡରେ ଏମିତି ଶୋଇରହନ୍ତି, ଯମିତି ତାଙ୍କ ଦେହକୁ ବରଫ ଛୁଇଁ ପାରିବ ନାହିଁ । ତୁମେ ଭାବୁଥିବ, ବିଚରା ଶୀତରେ ମରିଥାନ୍ତା, ଏବେ ଭୋକରେ ମରିବ । କିନ୍ତୁ, ନା, ସେ ମରେ ନାହିଁ । ସ୍ରଷ୍ଟାଙ୍କର ସୃଷ୍ଟି ଅତି ବିଚିତ୍ର । ଚମଡ଼ାର ଗଠନଶୈଳୀ ବେଙ୍ଗକୁ ବଂଚିବାରେ ସହାୟତା କରେ । ଚର୍ମ ସାହାଯ୍ୟରେ ବେଙ୍ଗ ଶ୍ୱାସକ୍ରିୟା କରିପାରେ । ମାଟିରେ ଅମ୍ଳଜାନ ମିଶି ରହିଥାଏ । ବେଙ୍ଗର ଓଦାଳିଆ ଓ ପତଳା ଚର୍ମ ସହିତ ଅଗଣିତ ରକ୍ତନାଳୀ (ବ୍ଲଡ୍ ଭେସେଲ୍)ଯାଡି ରହିଥାଏ, ଯାହାକି ଶରୀରରେ ରକ୍ତ ପ୍ରବାହିତ କରିଥାଏ । ମାଟିରେ ଥିବା ଅମ୍ଳଜାନକୁ ସେ ନିଜର ଓଦାଳିଆ ଚର୍ମ ଦ୍ୱାରା ଗ୍ରହଣ କରିପାରେ । ଅମ୍ଳଜାନ ପାଇବା ଫଳରେ ଶରୀରର ପ୍ରକ୍ରିୟା ଚାଲୁ ରହେ । କିନ୍ତୁ, ଅତିଥଣ୍ଡାରେ କେତେକ ଅଙ୍ଗ କାମ କରିପାରେ ନାହିଁ । ସେ ମରିଗଲା ଭଳି ଲାଗେ । କିନ୍ତୁ, ଜରୁରୀ ଅଙ୍ଗରେ ପ୍ରଚୁର ଗ୍ଲୁକୋଜ୍ ଥିବାରୁ ସେଗୁଡିକ କାମ କରୁଥାଏ । ଶୀତ ଆସିବା ପୂର୍ବରୁ ବୁଦ୍ଧିଆ ବେଙ୍ଗ ଖାଇ ଖାଇ ନିଜ ଦେହରେ ପ୍ରଚୁର ଚର୍ବି ଜମା କରିଥାଏ । ଶୀତନିଦ୍ରା ସମୟରେ ବଂଚିରହିବା ପାଇଁ ସେହି ଚର୍ବି ତାକୁ ଶକ୍ତିଯାଗାଏ । ଶୀତ ଛାଡ଼ିଗଲେ ମାଟି ଭିତରୁ ବେଙ୍ଗ ଜାଣିପାରେ । ତା` ଶରୀର ପୁଣି ପୂର୍ବ ପରି କାମ କରେ । ସେ ବାହାରକୁ ଆସି ଚଲାବୁଲା କରେ । ∎ ଓ.ଇ.ଏସ୍.-୧, ସହକାରୀ ପ୍ରଫେସର-୩ (ଫିଜିକ୍ସ୍ ରିଡର) ଭଦ୍ରକ ସ୍ଵୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭଦ୍ରକ