କୁହୁକ ଦୀପ ପଣ୍ଡିତ ମଧୁସୂଦନ ମିଶ୍ର ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8a5e191a60.html ପାହାଡ଼ ପାଖରେ ଥାଏ ଛୋଟିଆ ଗାଁ ଟିଏ । ସେହି ଗାଁରେ ରହୁଥାଏ ରବିନ୍ ବୋଲି ଯୁବକ ଟିଏ । ଭାରି ଅଳସୁଆ । ଦେହରେ ବଳ ଓ ମନରେ ବୁଦ୍ଧି ଥିଲେ ବି ପରିଶ୍ରମ କରି ଦିପଇସା ରୋଜଗାର କରିବାକୁ କେବେ ଚାହେଁ ନାହିଁ । ବୁଢ଼ୀ ମା କାମଧନ୍ଦା କରି ଯାହା ପାଏ ସେଥିରେ ଦୁଇପ୍ରାଣୀ ଦୁଖେକଷ୍ଟେ ଚଳି ଯାଆନ୍ତି । ଦିନେ ମା ପୁଅକୁ କହିଲା -ଆରେ, ମୁଁ ତ ବୁଢ଼ୀ ହେଲିଣି କେତେବେଳେ କେଉଁ କଥା ଏମିତି ଫୁଲାଫାଙ୍କିଆ ହେଲେ ଆଗକୁ ଘର ସଂସାର କରିବୁ କେମିତି ? ପୁଅ ହସିଦେଇ କୁହେ କାହିଁକି ବ୍ୟସ୍ତ ହେଉଛୁ ‌। ଦେଖିବୁ ରହ ତୋପାଇଁ ସୁନ୍ଦର ଘର ଆଉ ବୋହୂ ଯୋଗାଡ‌ କରିଦେବି । ମୋତେ ଖାଲି ସେ କୁହୁକ ଦୀପ ମିଳିଯାଉ ତା`ପରେ ଦେଖିବୁ ତୋ ପୁଅର କରାମତି। ପୁଅ କଥା ଶୁଣି ବୁଢ଼ୀ ଗୁମ୍ ହୋଇ କିଛି ସମୟ ବସେ ପୁଣି ନିଜ‌କାମରେ ଲାଗିଯାଏ । ଦିନେ କାମ ଖୋଜିବାକୁ ଯାଇ ସହରରେ ପହଞ୍ଚିଲା। ଦୈବାତ୍ ଜଣେ ଯାଦୁକର ସହିତ ତା`ର ଦେଖା ହୋଇଗଲା। ଯାଦୁକରର ଯାଦୁଖେଳ ତାକୁ ଭାରି ପସନ୍ଦ ଲାଗିଲା। ଏମିତି ଯାଦୁଖେଳ ଦେଖାଇ ଦିପଇସା ରୋଜଗାର କରିବା ପାଇଁ ତାମନ ଛଟପଟ ହେଲା। ଯାଦୁକର ଯୁବକର ଉତ୍ସାହକୁ ଦେଖି ମନରେ ଭାବିଲା,ଏହା ସାହାଯ୍ୟରେ ସେ ବଡ ଯାଦୁକର ହୋଇ ପାରିବ। ପାଖକୁ ଡାକି କହିଲା -ଦେଖ ତୁ ଯଦି ମୋ କଥା ମାନିବୁ ମୁଁ ତୋତେ ବଡ଼ ଲୋକ କରିଦେବି। ତୋର କିଛି ଅଭାବ ରହିବ ନାହଁ। ଯୁବକ ଯାଦୁକର କଥାର ରାଜି ହେବାରୁ ଦୁହେଁ ଅଗନାଅଗିନି ବନସ୍ତ ମଝିରେ ଥିବା ଏକ ପାହାଡ ଗୁମ୍ଫା ନିକଟକୁ ଗଲେ । ଯାଦୁକର କହିଲା -ଏହି ଗୁମ୍ଫାରେ ଏକ କୁହୁକ ଦୀପ ରହିଛି । ତାକୁ ପାଇଗଲେ ଆମ ଭାଗ୍ୟ ବଦଳି ଯିବା। ମୋତେ ଆଣି ସେ ଦୀପଟି ଦେଇଦେଲେ ମୁଁ ତୋତେ ଧନୀ କରିଦେବି ଆଉ ମୁଁ ବଡ଼ ଯାଦୁକର ହୋଇଯିବି। ହେଲେ ଏହାକୁ ଆଣିବା ଏତେ ସହଜ ନୁହେଁ। କିଛିଟା କଷ୍ଟତ ନିହାତି କରିବାକୁ ହେବ। ଯୁବକ କହିଲା ତୁମେ ସେଥିପାଇଁ ଚିନ୍ତା କରନି। ମୋତେ ଖାଲି କୁହ କେମିତି ଆଣିବାକୁ ହେବ। ଯାଦୁକର ଜାଣିଥିଲା ଯେ କୁହୁକ ଦୀପକୁ କାମରେ ଲଗାଇବାକୁ ହେଲେ ଜଣକୁ ବଳି ଦେବାକୁ ହେବ। ଏହି ଯୁବକକୁ ବଳି ଚଢ଼େଇ ସେ ଯାଦୁ ସମ୍ରାଟ ହୋଇଯିବ । ମନକଥା ମନରେ ରଖି ସେ ଯୁବକକୁ ସବୁକଥା ବୁଝାଇ ଦେଲା। ବୋକା ଯୁବକକୁ ଫସେଇ କାମ‌ ହାସଲ କରିବାକୁ ଚାହିଁଲା ବେଳକୁ ଯୁବକ ଜଣକ ଭାରି ଜାଣି ସିଆଣା ଥିଲା। ଯାଦୁକର ଠାରୁ ଗୋଟିଏ କୁହୁକ ମୁଣି ହାସଲ କରିନେଲା । ଯୁବକ ଯେମିତି ସୁଡ଼ଙ୍ଗ ଭିତରେ ପଶିଛି ତାକୁ ଚାରିଆଡ଼େ ଅନ୍ଧାର ଦେଖାଗଲା। ସାହସ କରି ସେ ଆଗକୁ ବଢିଲା। ଏତେ ଅନ୍ଧାରରେ ଆଗକୁ ଯିବ କେମିତି। ବୁଦ୍ଧି ଖଟାଇ କୁହୁକ ମୁଣିକୁ ହଲାଇ ଦେଲା। ସଙ୍ଗେ ସଙ୍ଗେ ଗୋଟେ ଭୁତ ବାହାରି ଆସି କ`ଣ ସାହାଯ୍ୟ କରିବି ବୋଲି କହିଲା। ଯୁବକ କହିଲା ମୋତେ କୁହୁକ ଦୀପ ପାଖକୁ ନେଇ ଚାଲ। ଭୁତ ତାକୁ ପିଠିରେ ବସେଇ କୁହୁକ ଦୀପ ପାଖକୁ ନେଇଗଲା। ଯୁବକ ଦୀପକୁ ଧରିବା ପାଇଁ ଯେତେ ଚେଷ୍ଟା କଲା ସବୁଥିରେ ବିଫଳ ହେଲା। କ`ଣ କରିବ କିଛି ଭାବି ନପାରି ରାଗରେ ଫୁଙ୍କି ଦୀପକୁ ଲିଭାଇଦେଲା। ଦୀପ ଲିଭି ଯିବାରୁ ଆପେଆପେ ଧରାଦେଲା। ଦୀପଟିକୁ ପାଇ ଯୁବକ ଭାରି ଖୁସି ହୋଇଗଲା। ଦୀପର କ`ଣ କରାମତି ଅଛି ଜାଣିବା ପାଇଁ ତା ମନ ଖାଲି ଆଉଟପାଉଟ ହେଉଥାଏ। କୁହୁକ ଦୀପ ପାଖରେ ପହଞ୍ଚିଲାପରେ କୁହୁକ ମୁଣିର କରାମତି ସରିଯାଇଥିଲା। ଏପାଖ ସେପାଖ କରି ଦୀପ ଟିକୁ ଦୁଇହାତରେ ଘସି ଦେବାରୁ ଗୋଟାଏ ଭୟଙ୍କର ରଡ଼ି କରି ବିରାଟ ଭୁତଟିଏ ଆସି କହିଲା ଆଦେଶ କରନ୍ତୁ ମାଲିକ ମୁଁ ଆପଣଙ୍କ କ`ଣ ସେବା କରିବି । ଯୁବକ ମନରେ ସାହସ ବାନ୍ଧି କହିଲା,ଗୁମ୍ଫା ବାହାରେ ଯେଉଁ ଯାଦୁକର ରହିଛି,ତାକୁ ଆଗ ଶେଷ କରିଦେ । ସେ ବଞ୍ଚିଥିବା ଯାଏ ମୁଁ ଦୀପର ମାଲିକ୍ ହୋଇ ପାରିବି ନାହିଁ । ଆଦେଶ ପାଇ ଭୁତଟି ଯାଦୁକରକୁ ଗୋଡ଼ାଇ ଗୋଡ଼ାଇ ମାରିଲା ଏବଂ ସୁଡ଼ଙ୍ଗ ଭିତରକୁ ଫେରି ଆସିଲା। ଏଥର ଯୁବକ ଜଣକ କୁହୁକ ଦୀପ ଧରି ଆରାମରେ ବାହାରକୁ ବାହାରି ଆସିଲା। ଯେତେବେଳେ ଯାହା ଇଚ୍ଛା କଲା କୁହୁକ ଦୀପ ବଳରେ ସବୁକିଛି ପାଇଗଲା। ବୁଢ଼ୀ ମା`ର ଆନନ୍ଦ କହିଲେ ନସରେ। ସତରେ ଈଶ୍ୱର ଯାହା ପ୍ରତି ସଦୟ ହେବେ ତାର ସବୁ ଦୁଃଖ କଷ୍ଟ ଆପେଆପେ ଦୂରେଇ ଯିବ। ଈଶ୍ବରଙ୍କ ପ୍ରତି ବିଶ୍ଵାସ ଓ ଭରସା କରୁଥିବା ମଣିଷ କେବେ ଅସୁବିଧାରେ ପଡେ ନାହିଁ । ∎ କେନ୍ଦୁଝର