ଉଡା ଜାହାଜରେ ଯିବି ତନୟା ଦାସ ଗୋସ୍ୱାମୀ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-832c9c74f9.html ସ୍କୁଲରୁ ଫେରି ମାଆଙ୍କୁ କହିଲା ଅତି ଶରଧାରେ ମିଲି । ମିସ୍ ଦେଇଛନ୍ତି ରଚନା ଗୋଟିଏ ଲେଖିକି ଆଣିବ କାଲି ॥ ରଚନାଟି ହେଲା ଗାନ୍ଧୀଙ୍କ ଜୀବନୀ ଯାହାର ସୁନ୍ଦର ହେବ । ଭାରତର ରାଜଧାନୀ ସେ ବୁଲିବ ଉଡାଜାହାଜ ରେ ଯିବ ॥ ଉଡାଜାହାଜର କଥା ଶୁଣି ଦେଇ ମାଆ ହେଲେ ତାର ଖୁସି । ସବୁକାମ ସାରି ମିଲି ପାଇଁ ସିଏ ରଚନା ଲେଖିଲେ ବସି ॥ ଘଣ୍ଟା ଘଣ୍ଟା ଧରି ଗାନ୍ଧୀଙ୍କୁ ଭାବିଲେ କିଛି ଲେଖି ହେଲା ନାହିଁ । ଦି ଚାରିଟା ଧାଡି ଲେଖୁ ଲେଖୁ ସିଏ ରାତି ଗଲା ଏଣେ ପାହି ॥ ବିଛଣାରୁ ଉଠି ମିଲି ତ ଖୋଜିଲା ରଚନାଟା ମାଆ କାହିଁ? ଲାଜରେ କହିଲେ ଗାନ୍ଧୀଙ୍କ ବିଷୟ ମୋତେ କିଛି ଜଣା ନାହିଁ ॥ ଗାନ୍ଧୀଙ୍କ ଜୀବନୀ ଜାଣି ନୁ ମାଆତୁ କାନ୍ଦି କାନ୍ଦି କହେ ମିଲି । ରଚନା ଲେଖିବା ନୋହିଲା ମୋହର ଯାଇ ପାରିବିନି ଦିଲ୍ଲୀ ॥ ମିଲି କାନ୍ଦ ଦେଖି ମାଆ ଦୁଃଖ କଲେ ନିଜକୁ କରିଲେ ଦାୟୀ । ଏଣିକି ପଢିବେ ମହାପୁରୁଷଙ୍କ ଜୀବନୀ ଉପରେ ବହି। ∎ ରାଧାକୃଷ୍ଣ ନଗର ,ଭୁବନେଶ୍ୱର।