ପଂଚ ପାଖୁଡା ମନୋରମା ମିଶ୍ର ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-82249c8086.html ଦେଖରେ ଦେଖ ଜେଜେମା`ଙ୍କର ମନଟା ଦୁଃଖ କଅଣ ପାଇଁ ? ସହରକୁ ଜେଜେ ନାତିପାଖୁ ଯିବେ ତାଙ୍କୁ ନନେଇ । ଦେଖରେ ଦେଖ ରାସ୍ତା ମଝିଟାରେ କେତେ ଯେ ଲୋକ କଅଣ ହେଲା ? ଜଣକ ବେକରୁ ହାର ନେଇ ଚୋର ପଳେଇଗଲା । ଦେଖରେ ଦେଖ ପୋଖରୀଟା ସଫା ବାହାରି ପଙ୍କ କିଏସେ କଲା ? ସାନ ବଡ ହୋଇ ଗାଆଁଟାଯାକର ଯେତେକ ପିଲା । ଦେଖରେ ଦେଖ ଆଗରୁ ଆସୁଛି ବିଲେଇ ଏକ କୁଆଡେ ଯିବ ? ଛୁଆ ଦୁଇଟିଙ୍କୁ ସାଙ୍ଗରେ ଆଣିଛି ବୁଲେଇ ନେବ । ଦେଖରେ ଦେଖ ଦଉଡୁ ଅଛନ୍ତି ମାଙ୍କଡଯାକ କେଉଁଥିପାଇଁ ? ପଛରୁ ତାହାଙ୍କୁ ଭାଲୁଆ କୁକୁର ଅଛି ଗୋଡାଇ । ∎ ନୀଳାଦ୍ରି ନିହାର ଭୁବନେଶ୍ୱର-୨୧ mob-9861578532