ଓଠେ ମୋର ହସ ଥାଏ ନିରାକାର ଚଇନି ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-8154eb3bfe.html ମୁଁ ପରା ଅଟଇ ଅତି ଆପଣାର ତୁମରି ଶ୍ରମିକ ଭାଇ ରକତ ନିଗାଡ଼ି ଆପଣା ଦେହରୁ କାମକରେ ତୁମ ପାଇଁ । କାଉ କାଆ କଲେ ଖାଇକି ପଖାଳ ବାହାରି ଯାଏ ମୁଁ ଘରୁ ଯେତେ ଖଟିଲେବି ରାତି ହୋଇଯାଏ କାମ ମୋର ସରୁ ସରୁ। ନୁଆଁଣିଆ ଚାଳଛପର ଘରରେ ରହନ୍ତି ମୋ` ଛୁଆ ପିଲା ବାବୁଭାୟା ପାଇଁ କୋଠା ତିଆରିରେ କରେନି ଟିକିଏ ଢିଲା। ମାନେ ନାହିଁ ମୁହିଁ ଖରା କି ଵରଷା ମାନେନି କାକର ଜାଡ଼ ମୁଣ୍ଡର ଝାଳକୁ ତୁଣ୍ଡେ ମାରି ନିତି ଗଢ଼ିଦିଏ ବନ୍ଧ ବାଡ଼। ଦେଶ ଦୁନିଆର ପ୍ରଗତି ପାଇଁକି ଗଢ଼େ କଳ କାରଖାନା ସେଥିଯୋଗୁଁ ଆଜି ଗରିବ ବେକାରୀ ପାଉଛନ୍ତି ମୁଠେ ଦାନା। ପାଏନାହିଁ ଜମା ଉଚିତ ମୂଲ ମୁଁ ଯେତେ କଲେ ଶ୍ରମ ଦାନ ତଥାପି କେବେହେଁ କାହାରି ଉପରେ କରେନାହିଁ ଅଭିମାନ। ଆଖି ଦୁଇଟିରୁ ଲୁହ ଝରିଲେ ବି ଓଠେ ମୋର ହସ ଥାଏ ମୋ`ନାମେ ଦିବସ ପାଳନ ହେଉଛି ଏତିକି ସନ୍ତୋଷ ପାଏ। ∎ ଶିକ୍ଷକ, ସୁବୁଦ୍ଧିସାହି ପ୍ରାଥମିକ ବିଦ୍ୟାଳୟ ଗୋଳାବନ୍ଧ, ତେଲକୋଇ, କେନ୍ଦୁଝର-୮୪ ମୋ-୮୨୪୯୩୮୭୯୭୩