ଶଗଡ ଦାଶ ବେନହୁର ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-7ed0432beb.html ଚମକିବାର କିଛି ନାଇଁ । ସହରିଆ ପିଲା ଭାବୁଥିବେ ମୋର ପୁଣି ଗୋଟେ କ`ଣ କହିବାର ଅଛି ? ମୁଁ ତ ମଫସଲିଆ। ଦେହ ମୁଣ୍ଡ ଧୂଳି। ପୁରୁଣାକାଳିଆ ଚେହେରା। ସ୍ଵର ପୁଣି ସେଇ କେଁ କଟର, କେଁ କଟର । ମାତ୍ର ଅସଲ କଥା ହେଉଛି ଏବେ ବି ମୁଁ ଗାଁ ଗହଳରୁ ଆରମ୍ଭ କରି ସହରରେ ଏକ ଦରକାରୀ ପରିବହନ ଯାନ ହୋଇ ରହିଛି । ବିଶେଷକରି ଓଡ଼ିଶାର ଗାଁ ଗହଳରେ ମୋର ପ୍ରାଧାନ୍ୟ ଅକ୍ଷୁର୍ଣ ଅଛି । ପାଖ ଗାଆଁ କୁ,ସହରକୁ ଜିନିଷ ବୋହିବାରେ ମୋର ଭୂମିକା ଅପରିବର୍ତ୍ତିତ । ଟ୍ରାକ୍ଟର କୂହ, ଟ୍ରଲି କୁହ, ମିନିଟ୍ରକ୍‌ କୁହ କି ଆଉ ଯାହା କହ, ସବୁ ମୋ ତଳେ । ସେ ସବୁ ଚାଲିବା ପାଇଁ ସମତଳ ରାସ୍ତା ଦରକାର, ହେଲେ ମୁଁ ? ମୁଁ ପରା ହିଡ଼ ଗଡ଼ି ଡେଇଁ ଜିନିଷ ବୁହେ । ଅବଶ୍ୟ ବାହା ହୋଇ ବରକନିଆ ମୋ ଉପରେ ବସି ଯାଉନାହାନ୍ତି ଆଉ। ଦିନ ଥିଲା, ସଜେଇ ମଜେଇ ମୋ ଦେହରେ ଯୋଚା ହୋଇଥିବା ବଳଦଙ୍କ ବେକରେ ଘନ୍ଟି ଘାଗୁଡ଼ି ଓ ପାଟଫୁଲି ବାନ୍ଧି ମତେ ସ୍ବାଗତ କରାଯାଉଥିଲା। ଦିନ ବଦଳୁଚି । ମାତ୍ର ମୁଁ ଯେମିତିକୁ ସେମିତି ଅଛି । ଅବଶ୍ୟ ମୋର ବି କିଛି ପ୍ରକାର ଭେଦ ଅଛି । କେଉଁଠି ଛୋଟ ଚକ ତ କେଉଁଠି ବଡ଼ ଚକ । କେଉଁଠି ମତେ ଗୋଟେ ବଳଦ କି ପୋଢ଼ୁଅ ଭିଡ଼େ ତ କେଉଁଠି ହଳେ ବଳଦ ନ ହେଲେ ହଳେ ପୋଢୁଅ ଭିଡ଼ନ୍ତ। କୋଉଠି କୋଉଠି ଷଣ୍ଢଟାଏ ବି ଯୋଚି ଦିଅନ୍ତ ମୋ ଦେହରେ। କି ହନସ୍ତା ସତରେ! !। ! ମୋ ଦେହର ଯନ୍ତ୍ରପାତି ବିଷୟରେ ଗାଁ ପିଲାଏ ବି ଅନେକ ଜାଣି ନ ଥାନ୍ତି । ଚକ, ଅଖ, ଅର, ପହି , ଅନିକିଳି, ତୁମ୍ବ, ଦଣ୍ଡା , ଯୋତ, ଝୁରାଡିହ,ଫଳି, ଟିପେଇ, ବଉଳି, କାନ୍ଟିଘଡ଼ି, ନାଲ, ଚାଞ୍ଚରା, ଓଦର ଆଦି କେତେ ନା କେତେ ସରଂଜାମ ଯୋଡ଼ାହୋଇଛି ମୋ ଦେହରେ। ଏକବିଂଶ ଶତାବ୍ଦୀକୁ ବିଜ୍ଞାନର ଯୁଗ କୁହାଯାଉଛି । କାଲିର ଜିନିଷ ଆଜି ବଦଳିଯାଉଛି। ଗାଉଣା ବାଜଣା ଯନ୍ତ୍ରପାତିଠାରୁ ଆରମ୍ଭ କରି ବାସନକୁସନ, ଘରଦୁଆର ସବୁଠାରେ ପରିବର୍ତନର ଛବି । ହେଲେ ମୋର କେଁ କଟର, କେଁ କଟର । ବଡ଼ ବଡ଼ ରାଜରାସ୍ତାରେ ମୋ ପାଖ ଦେଇ ନୂଆ ନୂଆ ସୌଖୀନ ଚାରିଚକିଆ କି ଦୁଇଚକିଆ ଗାଡ଼ି ଚାଲିଗଲାବେଳେ ମତେ ବଡ଼ ଲାଜ ମାଡ଼େ। ମୋ ଦେହକୁ ନେଇ କାଇଁ କେହି ତ ଗବେଷଣା କରୁନି ଚକରେ ରବର ନାଲ କି ତୁମ୍ବରେ ଗ୍ରିଜ୍‌ ଦିଆ ବଲ୍‌ବିଅରିଂ ଅଖ ଦେଲେ ମତେ ଟିକେ ଆରାମ ମିଳନ୍ତାନି ? ∎