ସେଇ ମୋ ଓଡିଶା ମାଆ କୈଳାସ ଚନ୍ଦ୍ର ବେହେରା ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7d51eb7e94.html ବୀର ପ୍ରସବିନୀ କଳିଙ୍ଗ ଜନନୀ ଉତ୍କଳ ବଣିକ ମାଆ ମନ୍ଦିର ମାଳିନୀ ପ୍ରକୃତି ଶୋଭିନୀ ଓଡିଶା ଯାହାର ନାଆଁ l ବଙ୍ଗୋପସାଗର ନୀଳ ଜଳ ଢେଉ ବନ୍ଦନା ଯାହାର ଗାଏ ସବୁଜ ବନାନୀ, ଶୁଭ୍ର ନିର୍ଝରିଣୀ ଯା ଦେହକୁ ଛୁଇଁ ଯାଏ ଗରଭେ ସମ୍ପତ୍ତି ରଖିଛି ସାଇତି ପରବତ କରି ଠିଆ ସେଇ ମୋ ଓଡିଶା ମାଆ l ଅତୀତ କୀରତି ଭଗ୍ନ ବାରବାଟୀ ପାଇକ ବୀରତ୍ୱ ଗାଥା ବୌଦ୍ଧ ସ୍ତୁପ ଧଉଳିର ଶିଳା ଗାତ୍ର ଶୁଣାଏ ଶାନ୍ତିର କଥା ଜଳ ପକ୍ଷୀ ମେଳେ ଚିଲିକାର ଶୋଭା କେଡେ ମନଲୋଭା ଆହାଃ ସିଏ ମୋ ଓଡିଶା ମାଆ l ଓଡିଶୀ ସଙ୍ଗୀତ, ନୃତ୍ୟ, ଚିତ୍ରପଟ ବୋଇତ ବଣିଜ କଥା ମୂକ ସାକ୍ଷୀ ଭଙ୍ଗା କୋଣାରକ ଗାଏ ଉତ୍କଳ ବଢ଼େଇ ଗାଥା ସ୍ଥାପତ୍ୟ, ସଂସ୍କୃତି, କଳା, କିରତିରେ ଜଗତରେ ଯାର ନାଆଁ ସେଇ ମୋ ଓଡିଶା ମାଆ l ଲଙ୍ଗଳ ମୁନରେ ସୁନାର ଫସଲ ଯା ଦେହୁ ଫଳାଏ ଚଷା ବାର ମାସେ ତେର ପରବ ପର୍ବାଣୀ ଓଡ଼ିଆଣୀ କରେ ଓଷା ଯେଉଁ ରାଇଜରେ ବିଜେ ଜଗନ୍ନାଥ ସେ ରାଇଜର ମୁଁ ଛୁଆ ଧନ୍ୟ ମୋ ଓଡିଶା ମାଆ l ∎ ତେମଳା, ନନ୍ଦିପଦା. କେନ୍ଦୁଝର (ଓଡିଶା )