ତୁମ ଦୁଆରରେ ଶଙ୍ଖନାଦ ଶୁଭେନାହିଁ କୈଳାସ ଚନ୍ଦ୍ର ବେହେରା ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7b8f34a601.html ଅଳକାନନ୍ଦାର ତଟ ଦେଶେ ତୁମ ପୁଣ୍ୟ ବଦରିକା ଧାମ ବିଷ୍ଣୁନାମ ବହି ପୂଜା ପାଉଅଛ ଜ୍ୟୋତିପୀଠ ଯାର ନାମ l ହିମଗିରି ଘେରା ଉତ୍ତରାଖଣ୍ଡର ଉତ୍ତରକୁ ବାଛିନେଲ ଦେବଭୂମି, ସ୍ୱର୍ଗଭୂମି, ତପଭୂମି ନାମରେ ପ୍ରକାଶ କଲ l ତୁଷାର ମଣ୍ଡିତ ହୀରକ ମୁକୁଟେ ହିମକୂଟ ଶୋଭାରାଶି ଦର୍ଶନେ ବିଭୋର ଭକତ ସକଳ ଭକ୍ତିଭାବେ ଯାନ୍ତି ଭାସି l ଅଳକାନନ୍ଦାରୁ ଆବିର୍ଭୁତ ହେଲ ଶାଳଗ୍ରାମ ରୂପ ଥାଇ ତପ୍ତକୁଣ୍ଡ ପାର୍ଶ୍ଵ ଗୁମ୍ଫାରେ ସ୍ଥାପିଲେ ପ୍ରଥମ ଶଙ୍କର ନେଇ l ଗଡ଼ୱାଲ ରାଜା ମନ୍ଦିର ତୋଳିଲେ ଷୋଡଶ ଶତାବ୍ଦୀ ବେଳେ ପ୍ରତିଷ୍ଠିତ ହୋଇ ପୂଜା ପାଉଅଛ ଥାଇ ବଦ୍ରିବୃକ୍ଷ ତଳେ l ସୁବର୍ଣ୍ଣ ଚନ୍ଦୁଆ ମସ୍ତକେ ବିରାଜେ ଧ୍ୟାନମଗ୍ନ ରୂପ ଦେଖି ଭକ୍ତ ହୃଦଗତେ ଚେତନା ଜାଗ୍ରତେ ଆଖି ରହିଯାଏ ଲାଖି l ତପ୍ତକୁଣ୍ଡେ ସ୍ନାନ ରୋଗ ନାଶକରେ ମନରେ ଆଣଇ ଭକ୍ତି କାଜୁ, କିସମିସ, ମିଶ୍ରି, ତୁଳସୀରେ ପୂଜି ଲଭିଥାନ୍ତି ମୁକ୍ତି l ଅକ୍ଷି ତୃତୀୟାରୁ ଦୀପାବଳୀ ଯାଏ ମର୍ତ୍ତ୍ୟବାସୀ ଛଅମାସେ କେରଳ ବ୍ରାହ୍ମଣେ ପୂଜା କରୁଥାନ୍ତି ଦୀପଜାଳି ତୁମ ପାଶେ l ଆଉ ଛଅମାସ ବରଫରେ ଢାଙ୍କି ଦେବାଳୟ ଥାଏ ରହି ଅକ୍ଷି ତୃତୀୟରେ ପୂଜକ ଦେଖନ୍ତେ ଦୀପଶିଖା ଥାଏ ଚେଇଁ l ସେ ଛଅ ମାସରେ ଦେବଲୋକ ବାସୀ ପୂଜନ୍ତି ପ୍ରଦୀପ ଜାଳି ଦେବତାଙ୍କ ମେଳେ ରହିଣ ସେ କାଳେ କରୁଥାଅ ନାନା କେଳି l ତପୋବନ ଘେରା ମନ୍ଦିରେ ତୁମର ପ୍ରିୟ ଶଙ୍ଖ ବାଜେ ନାହିଁ ଦେବତାଙ୍କ ଧ୍ୟାନ ଋଷିଙ୍କ ତପସ୍ୟା ଭଗ୍ନ ଭୟ ଥାଏ ରହି l ଶଙ୍ଖଚୂଡ଼ ବଦ୍ଧ କଲ ହୃଷିକେଶ ଲକ୍ଷ୍ମୀ ମାତା ତପ କାଳେ ମନାଇ ନଥିଲ ବିଜୟ ଉତ୍ସବ ଶଙ୍ଖ ଫୁଙ୍କି ସେଇ ବେଳେ l ଶବ୍ଦ ତରଙ୍ଗରେ ବରଫ ପାହାଡ଼େ ଫାଟ ମାନ ସୃଷ୍ଟି ହୋଇ ତୁଷାର ଝଡ଼ ଵା ହିମ ସ୍ଖଳନ ରେ ସମ୍ଭାବନା ଆଣେ ନେଇ l ହିମଗିରି ମଧ୍ୟେ ନାଗ ସର୍ପଙ୍କର ବାସସ୍ଥନ ଥାଏ ରହି ଶଙ୍ଖ ଧ୍ୱନି ତାଙ୍କ ବ୍ୟଥାର କାରଣ ସେଥିପାଇଁ ବାଜେ ନାହିଁ l ତୁମ ପ୍ରିୟ ବସ୍ତୁ ଶବ୍ଦ ନ ଶୁଣିବି ମନରେ ନ ବହି ଦୁଃଖ ପ୍ରସନ୍ନ ଚିତ୍ତରେ ମରତ ବାସୀଙ୍କୁ ବାଣ୍ଟୁଛ ସରଗ ସୁଖ l ∎ ତେମଳା, ଶଂଖୋ, କେନ୍ଦୁଝର