ଧନ୍ୟ ତାର କାରିଗରୀ ପ୍ରଭାତ ନଳିନୀ ସାହୁ ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-788054e430.html କେଡେ ସୁଚତୁର ବିନ୍ଧାଣୀ କିଏସେ ଗଢିଛି ସୁନ୍ଦର ଧରା, ତରୁ ତୃଣ ବନ ଶ୍ୟାମଳ କୋମଳ କାନନେ ଫୁଲ ପସରା। ବିଶାଳ ସୁନୀଳ ଆକାଶ ଗଢିଛି ଦିନରେ ସୂରୁଯ ଜ୍ୟୋତି, ସଂଜରେ ଚନ୍ଦ୍ରମା ଶୀତଳ ଜୋଚ୍ଛନା ତାରା ଫୁଲ କୋଟିକୋଟି। ବରଷା ଦେହରେ ଭରିଛି କିଏସେ ଏତେ ପରିମାଣ ପାଣି, ବାଦଲ ଭିତରେ ଚମକ ଖେଳାଏ କେମିତି ବିଜୁଳିରାଣୀ। ସାତଟି ରଙ୍ଗର ଇନ୍ଦ୍ରଧନୁ କିଏ ଗଢିଛି ଆକାଶ ଦେଶେ, ଝରଣା ତଟିନୀ ସାଗରର ପାଣି ବହନ୍ତି କାହା ଆଦେଶେ। କୁସୁମେ ସୁବାସ,ସୁମଧୁର ଫଳ କାହାର ଏ ସବୁ ଦାନ, କାହାକୁ କରିଛି ଶୀତଳ କୋମଳ କିଏସେ ପୁଣି କଠିନ। କୀଟରୁ ପତଙ୍ଗ, ଏ ଜୀବଜଗତ ଗଢିଛି ଯତନ କରି, କୋଟିକୋଟି ପ୍ରଣିପାତ ତା ପୟରେ ଧନ୍ୟ ତାର କାରିଗରି। ∎ ଛେଣ୍ଡ କଲୋନୀ,ରାଉରକେଲା-୧୫