ମୋ` ଅଜା ରାଧାମାଧବ ରଥ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-77e127bfed.html ଅଂଶୁମାନ ଅଷ୍ଟମ ଶ୍ରେଣୀରେ ପଢେ।ସେ ତାର ଅଜାଙ୍କୁ ଭାରି ଭଲ ପାଏ। ସତେକି ଅଜା ତାର ଜୀବନ। ଘଡିଏ ତାଙ୍କୁ ନ ଦେଖିଲେ ସେ ରହିପାରେ ନାହିଁ।ଯେତେବେଳେ ଅଜା ତାର ଘରକୁ ଆସନ୍ତି ସେତେବେଳେ ସେ ଖୁସିରେ ନାଚି ଉଠେ। ମୋ ଅଜା ବୋଲି କହି ତାଙ୍କୁ କୁଣ୍ଢାଇ ପକାଏ।ସେ ଖଟରେ ଗଡୁଥିବା ଅବସ୍ଥାରେ ତାଙ୍କ ଛାତିରେ ଲୋଟି ପଡେ। ପ୍ରତି ବଦଳରେ ଅଜା ମଧ୍ଯ ନାତିକୁ ଭାରି ଭଲ ପାଆନ୍ତି।ବେଶୀ ଦିନ ଗାଁରେ ରହି ପାରନ୍ତି ନାହିଁ। କିଛି ଗୋଟାଏ ଆଳ ଦେଖାଇ ଅଂଶୁମାନକୁ ଦେଖିବାପାଇଁ ଆଈକୁ କହି ସହରକୁ ଚାଲି ଆସନ୍ତି। ଅଂଶୁମାନରଅଜା,ଦୀନକୃଷ୍ଣ ବାବୁ ଗାଁ ହାଇସ୍କୁଲରେ ଜଣେ ଭଲ କ୍ରୀଡା ଶିକ୍ଷକ ଥିଲେ।ଦୁଇ ବର୍ଷ ହେଲା ଅବସର ନେଲେଣି। ଯେଉଁ ପିଲା ବିଶେଷ ଭଲ ଖେଳେ ,ତାକୁ ଖେଳିବାକୁ ଅଧିକ ପ୍ରେରଣା ଦିଅନ୍ତି।ତାଙ୍କ ମତରେ ଭଲ ଖେଳୁଥିବା ପିଲାକୁ ଯଥେଷ୍ଠ ସୁଯୋଗ ଦିଆଯିବା ଉଚିତ। ଦିନେ ଅଂଶୁମାନ କ୍ରିକେଟ ଖେଳି ସ୍କୁଲରୁ ଫେରୁଥାଏ। ସେ ଦିନ ସ୍କୁଲ ଛୁଟିଥିଲେ ବି ସେ ଖେଳିବାକୁ ଯାଇଥାଏ। ଅଂଶୁମାନର ବାପା,ଶୁଭକାନ୍ତ ବାବୁ ଜଣେ ଡାକ୍ତର। ସେ ଦିନ ସେ ଘରେ ଥା`ନ୍ତି।ଡାକ୍ତରଖାନାକୁ ଯାଇ ନଥାନ୍ତି।ହାତରେ ତାର କ୍ରିକେଟ ବ୍ଯାଟ ଦେଖି ହଠାତ୍ ରାଗିଯାଇ ଅଂଶୁମାନକୁ କହିଲେ,ମୁଁ ଯାହା ଦେଖୁଛି ତୋର ପାଠପଢାରେ ଆଦୌ ମନ ନାହିଁ।ସବୁବେଳେ ହାତରେ ତୋର କ୍ରିକେଟ ବ୍ଯାଟ।ପଢୁଛୁ କେତେବେଳେ ? ବୋଧହୁଏ ଟ୍ୟୁସନ ନ ଯାଇ ସର୍ବଦା ଖେଳପଡିଆକୁ ଯାଉଛୁ। ଏହାକହି ତା ଉପରେ ହାତ ଉଠାଇବାକୁ ଗଲେ।କାରଣ ସେ ଚାହାନ୍ତି ତାଙ୍କ ପରି ଅଂଶୁମାନ ଡାକ୍ତର ଅଥବା ଇଂଜିନିୟର ହେଉ। ଦୀନକୃଷ୍ଣ ବାବୁ ଅନେକ ସମୟରେ ତାଙ୍କର ଜ୍ବାଇଁ, ଶୁଭକାନ୍ତ ବାବୁ ନାତି ଉପରେ ରାଗିଯିବାର ଲକ୍ଷ୍ଯ ରଖିଛନ୍ତି। ମାତ୍ର ମୁହଁ ଖୋଲି କହି ପାରନ୍ତି ନାହିଁ।ଏଥର କିନ୍ତୁ ପାଟି ଖୋଲିବାକୁ ବାଧ୍ଯ ହେଲେ।କହିଲେ,ପୁଅ! ତୁମେ ଅନେକ ସମୟରେ ଅଂଶୁମାନ ଉପରେ ରାଗିବାକୁ ଯାଉଛ। କିନ୍ତୁ ଏଇଟା ଠିକ୍ ନୁହଁ। ତାର ଯଦି ଖେଳ ପ୍ରତି ବିଶେଷ ଆଗ୍ରହ ଅଛି ,ସେ ଖେଳୁ।ତାକୁ ରୋକିବା ଆଦୌ ଉଚିତ ନୁହେଁ।ଯାହାର ଯେଉଁ ଦିଗ ପ୍ରତି ବେଶୀ ଆଗ୍ରହ ଥାଏ ସେ ସେଥିରେ ବେଶୀ ଉନ୍ନତି କରେ।ମୁଁ ଲକ୍ଷ୍ଯ କରୁଛି ,ଅଂଶୁମାନର ପାଠ ଅପେକ୍ଷା ଖେଳପ୍ରତି ବେଶୀ ଆଗ୍ରହ ଅଛି।କିଏ ନ କହିବ,ସ୍କୋପ ମିଳିଲେ ସେ ଭବିଷ୍ୟତରେ ଭଲ କ୍ରିକେଟର ନ ହେବ ବୋଲି !ହୁଏ ତ ସେ ସଚିନ ତେନ୍ଦୁଲକର, ବିରାଟ କୋହଲୀ ଅଥବା ଗାଭାସ୍କରଙ୍କ ଭଳି କ୍ରିକେଟର ହୋଇପାରେ।ତାର ଆଗ୍ରହକୁ ଦବାଇ ରଖିଲେ ସେ ହୁଏତ ଅବାଟକୁ ଚାଲିଯାଇପାରେ।ସେ ନାହିଁ ଭଲ ଖେଳି ପାରିବ,କି ନାହିଁ ଭଲ ଖେଳାଳୀ ହେବ।ତାର ଭବିଷ୍ୟତ ଅନ୍ଧକାର ହୋଇଯିବ। ଅଂଶୁମାନର ଅଜାଙ୍କ କଥାରେ ଶୁଭକାନ୍ତ ବାବୁ ନିଜର ଭୁଲ୍ ବୁଝି ପାରିଲେ।ପୁଅ ପାଖକୁ ଯାଇ ତା ପିଠିକୁ ଆଉଁଶି ଦେଇ କହିଲେ,ପାଠ ସହିତ ତୁ ଭଲ ଖେଳିଲେ ମୁଁ ଆନନ୍ଦିତ ହେବି। ପରିଶେଷରେ ଅଂଶୁମାନ ଭଲ ଖେଳାଳୀ ହୋଇ ସୁନାମ ଅର୍ଜନ କଲା। ତା ପିତାମାତା ଓ ଅଜାଙ୍କ ସମ୍ମାନକୁ ବଜାୟ ରଖିଲା। ହସଖୁସିର ମାହୋଲ ସୃଷ୍ଟି ହେଲା। ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ। ମୋ -9437181196.