ମିକୁନ୍ ବୁ୍ଦ୍ଧି ଶିଖିଲା ମନୋରମା ମିଶ୍ର ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-772384d770.html ଦିନେ ସଂଧ୍ୟାବେଳେ ମିକୁନ୍ ଘରପାଖ ଦୋକାନକୁ ପେନସିଲଟିଏ କିଣିବାକୁ ଯାଇଥିଲା। ସେଠାରେ ପେନସିଲ୍ କିଣିସାରି ବଳକା ଟଙ୍କାରେ ସାନଭାଇପାଇଁ ଚାରୋଟି ଚକୋଲେଟ୍ କଣି ଫେରିଲା।ଫାଟକ ଖୋଲି ଭିତରକୁ ଗଲାବେଳକୁ ତା` ହାତରୁ ଗୋଟିଏ ଚକୋଲେଟ୍ ତଳେ ଖସିପଡିଲା।ମିକୁନ୍ ନଇଁପଡି ଟିକେ ଖୋଜିଲା।କିନ୍ତୁ ଅନ୍ଧାରରେ ସେତେବେଳକୁ ଜାଗାଟି ଭଲ ଦେଖାଯାଉନଥିବାରୁ ସେ`ଚକୋଲେଟଟି ପାଇଲାନି।ତେଣୁ ତରତରରେ ଘରକୁ ଯାଇ ବଡ ମହମବତୀରୁ ଗୋଟିଏ ଜଳାଇ ଚକୋଲେଟ୍ ଖୋଜିବାକୁ ନେଇଆସିଲା। ଘରଆଗରେ ଥିବା ଛୋଟଛୋଟ ଗଛର ଗହଳି ଭିତରୁ ଚକୋଲେଟଟି ସହଜରେ ମିଳୁନଥିଲା।ତଥାପି ମିକୁନ୍ ଗେଟ୍ ପାଖରୁ ଘରଯାଏଁ ରାସ୍ତାଟି ଏବଂ ତା`ର ଦୁଇପାଖ ବାରମ୍ବାର ମନଲଗାଇ ଖୋଜିଚାଲିଥାଏ।ମହମବତୀଟି ଜଳିଜଳି ସରିଆସୁଥିଲା।ଅନେକ ସମୟ ପରେ ହଠାତ୍ ଚକୋଲେଟଟି ଦେଖିଦେଇ ମିକୁନ୍ ହାତରେ ଉଠେଇ ଆଣିଲାବେଳକୁ ଆରହାତରେ ସେ`ଧରିଥିବା ମହମବତୀଟି ସରିଆସି ହାତରେ ଲାଗିଯିବାଉପରେ।ମିକୁନ୍ ତରତରରେ ହାତରୁ ମହମବତୀଟି ଛାଟିଦେଲା।ଠିକ୍ ସେତିକିବେଳକୁ ବାପା ବାହାରୁ ଆସି ସେଠି ପହଂଚିଯାଇଥିଲେ।ତାକୁ ଏ ସଂଧ୍ୟାବେଳେ ଅନ୍ଧାରରେ ବଗିଚା ଭିତରେ ଠିଆ ହୋଇଥିବାର ଦେଖି ଚିଡିଲାଭଳି ସ୍ୱରରେ ପଚାରିଲେ ଏଇ ସମୟରେ ତୁ ପାଠ ନପଢି ଏ ବାହାରେ ଅନ୍ଧାରରେ କାହିଁ ଠିଆ ହୋଇଛୁ? ମିକୁନ୍ ବାପାଙ୍କୁ ସବୁକଥା କହିଲା।ସବୁଶୁଣି ବାପା କହିଲେ,ତୋର ତ ବୁଦ୍ଧି ବୋଲି ଟିକିଏ ନାହିଁ।ମିକୁନ୍ ଆଶ୍ଚର୍ଯ୍ୟ ହେଉଥିଲା।ସେ`ତ ଏତେ ଖୋଜିଖୋଜି ଚକୋଲେଟଟି ପାଇଲା।ଆଉ ବୁଦ୍ଧି ନାହିଁ ବୋଲି ବାପା କାହଁି କହୁଛନ୍ତି? ବାପା ଜାଣିଲେ ମିକୁନ୍ ତଥାପି ନିଜ ଭୁଲ୍ ଜାଣିପାରୁନାହିଁ।ସେ`ଏଥର ବୁଝାଇଦେଲେ-ଶୁଣ୍ ! ଟଙ୍କିକିଆ ଚକୋଲେଟଟି ଖୋଜିବାକୁ ଯାଇ ପନ୍ଦର ଟଙ୍କିଆ ମହମବତୀଟିଏ ଜଳେଇ ସାରିଦେଲୁ। ବଡ ହେଉ ବା ଛୋଟ ଯେକୌଣସି କାମଟିଏ କଲାବେଳେ ବୁଦ୍ଧି ଖଟେଇ କରିବା ଉଚିତ।ମିକୁନକୁ ବାପାଙ୍କ କଥା ଶୁଣି ଭାରି ଖରାପ ଲାଗିଲା।ଅନୁତାପରେ ତା`ମଥା ନଇଁଗଲା।ସତରେ କେତେବଡ ଭୁଲ୍ ସେ କଲା।ନାଃ!ଏଥର ଭାବିଚିନ୍ତି ସବୁକାମ କରିବ।ଏହି କଥା ଭାବି ମିକୁନ୍ ବାପାଙ୍କ ପଛେପଛେ ଘରକୁ ଗଲା। ∎ ନୀଳାଦ୍ରିବିହାର ଭୁବନେଶ୍ୱର-୨୧