ଏ ତ ମାସ ଭୋଦୁଅ ପ୍ରଭାତ ନଳିନୀ ସାହୁ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-74eb49a407.html ଭୋଦୁଅର ଆକାଶେ ଭସା ବାଦଲ ଭାସେ କଳା ପଣତ ଦୂରେଇ ନୀଳ ରଙ୍ଗ ପ୍ରକାଶେ। ବଉଦର ଫାଙ୍କରେ ରବି ସୁନା ରଙ୍ଗରେ କନକ ବରନ ଧରା ଫୁଲ ଫଳ ସାଙ୍ଗରେ। ଶେଫାଳିଟି ଫୁଟିଲା ମହକ ତା ଛୁଟିଲା ଚଉଁରା ମୂଳେ ରଙ୍ଗଣୀ ରଙ୍ଗ ରୂପ ଫିଟିଲା। ଜହ୍ନିଫୁଲ ବାଡିରେ ହାଟ ବସେ ଧାଡିରେ ଟୁବି ଗଡିଆ ଜଳରେ ଝୁଲେ କଇଁ କଢି ରେ। ଏ ତ ମାସ ଭୋଦୁଅ ନାହିଁ କାହିଁ କାଦୁଅ ସରୋବରେ ହସିହସି ନାଚିଲେଣି ପଦୁଅଁ। କେତେ ପର୍ବ ପୂନେଇଁ ଆସେ ସବୁ ଘନେଇ ଗଜାନନ,ଭାଲୁକୁଣୀ ଓଷା ଦିଏ ମଜେଇ। ∎ ପାଣ୍ଡବ ନଗର ଭୁବନେଶ୍ବର