ସୋନାଲିକା ଟ୍ରାକ୍ଟର ହିମାଂଶୁ ଶେଖର ଫତେସିଂହ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-73e340a6c8.html ଭାରତ ଏକ କୃଷି ବହୁଳ ଦେଶ। ଏଠାରେ କୃଷି କ୍ଷେତ୍ରରେ ବିଭିନ୍ନ ଧରଣର କୃଷି ଯନ୍ତ୍ରପାତୀ ବ୍ୟବହୃତ ହୋଇଥାଏ। ଏହି ଯନ୍ତ୍ରପାତୀଗୁଡ଼ିକ ମଧ୍ୟରେ ଟ୍ରାକ୍ଟର ହେଉଛି ଅନ୍ୟତମ। ଏବେ ପୃଥିବୀର ସର୍ବାଧିକ ସଂଖ୍ୟକ ଟ୍ରାକ୍ଟର ଭାରତରେ ନିର୍ମିତ ହେଉଥିବାର ଜଣାପଡ଼ିଛି। ଗତ ୨୦୨୧ ମସିହା ସୁଦ୍ଧା ଭାରତରେ ନିର୍ମିତ ହେଉଥିବା ଟ୍ରାକ୍ଟର ସଂଖ୍ୟା ୧ ନିୟୁତରୁ ଅଧିକ ରହିଛି। ଏପରିକି ଭାରତରେ ମଧ୍ୟ ଅନ୍ୟ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ ଟ୍ରାକ୍ଟର ବିକ୍ରି ହେଉଛି। ଏବେ ଦେଶର କୃଷିକ୍ଷେତ୍ରଗୁଡ଼ିକରେ ବିଭିନ୍ନ ବ୍ରାଣ୍ଡର ଟ୍ରାକ୍ଟର ବ୍ୟବହୃତ ହେଉଅଛି। ସେଗୁଡ଼ିକ ମଧ୍ୟରେ ମହୀନ୍ଦ୍ରା ଏଣ୍ଡ ମହୀନ୍ଦ୍ରା, ସ୍ୱରାଜ, ଏଚଏମଟି, ସୋନାଲିକା ଆଦି ଅନ୍ୟତମ। ଭାରତର ଏକ ଲୋକପ୍ରିୟ ଟ୍ରାକ୍ଟର ହେଉଛି ସୋନାଲିକା ଟ୍ରାକ୍ଟର। ଏହା କୃଷକମାନଙ୍କର ସବୁଠାରୁ ଅଧିକ ପସନ୍ଦ ଯୋଗ୍ୟ ଟ୍ରାକ୍ଟର ହୋଇପାରିଛି। ସୋନାଲିକା ଟ୍ରାକ୍ଟର ସମ୍ପୂର୍ଣ୍ଣରୂପେ ଆମ ଦେଶର ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏହାକୁ ଦୁର୍ଗାପୁରସ୍ଥିତ କେନ୍ଦ୍ରୀୟ ଯାନ୍ତ୍ରିକ ଓ ଇଞ୍ଜିନିୟରିଂ ଅନୁସନ୍ଧାନ କେନ୍ଦ୍ରରେ ବିକାଶ କରାଯାଇଛି। ଅବଶ୍ୟ ଏହି କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମେ ସ୍ୱରାଜ ଟ୍ରାକ୍ଟର ନିର୍ମିତ ହୋଇଥିଲା। ୧୯୯୫ ମସିହାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ଲଛମନ ଦାସ ମିତଲ ନାମକ ଜଣେ ଶିଳ୍ପୋଦ୍ୟାଗୀ ପ୍ରତିଷ୍ଠା କରିଥିଲେ। ୧୯୯୬ ମସିହାରେ ଏହି କମ୍ପାନୀ ପ୍ରଥମ ଟ୍ରାକ୍ଟର ବିକ୍ରି କରିଥିଲା। ଏବେ ପଞ୍ଜାବର ହୋସିଆରପୁରଠାରେ ସୋନାଲିକାର ସବୁଠାରୁ ବୃହତ କାରଖାନା ରହିଛି। ଏଠାରେ ଇଞ୍ଜିନ୍ ନିର୍ମାଣଠାରୁ ଆରମ୍ଭକରି ଏହାର ବିଭିନ୍ନ ଅଂଶ ସଂଯୋଗର ସୁବିଧା ରହିଛି। ଏଠାରେ ବାର୍ଷିକ ତିନି ଲକ୍ଷ ପର୍ଯ୍ୟନ୍ତ ଟ୍ରାକ୍ଟର ଉତ୍ପାଦନର ବ୍ୟବସ୍ଥା ରହିଛି। ଏହି କମ୍ପାନୀରୁ ୨୦ ରୁ ୧୨୦ ଅଶ୍ୱ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ଟ୍ରାକ୍ଟରମାନ ନିର୍ମିତ ହେଉଅଛି। ଏଠାରେ ଭାରତର ଟ୍ରାକ୍ଟର ଶିଳ୍ପରେ ପ୍ରଥମ ଥର ପାଇଁ ରୋବୋଟିକ୍ ରଙ୍ଗଦେବାର ବ୍ୟବସ୍ଥା କରାଯାଇଛି। ବ୍ରାଜିଲ, ଇରାନ, ଅର୍ଜେଂଟିନା, ଆଲଜେରିଆ ଓ କାମେରୁନ୍ ଠାରେ ସୋନାଲିକାର ଯନ୍ତ୍ରାଂଶ ସଂଯୋଗପାଇଁ କରାଖାନା ରହିଛି। ଏହା ଏବେ ଆମ ଦେଶରେ ତୃତୀୟ ସର୍ବାଧିକ ସଂଖ୍ୟାରେ ନିର୍ମିତ ହେଉଥିବା ଟ୍ରାକ୍ଟର । ଅନ୍ୟ ଦେଶକୁ ରପ୍ତାନୀ କରାଯାଉଥିବା ଟ୍ରାକ୍ଟରଗୁଡ଼ିକ ମଧ୍ୟରେ ସୋନାଲିକା ବ୍ରାଣ୍ଡର ଟ୍ରାକ୍ଟର ସବୁଠାରୁ ଆଗରେ ରହିଛି। ଗତ ୨୦୨୧-୨୨ ମସିହାରେ ୩୫,୦୦୦ ସୋନାଲିକା ଟ୍ରାକ୍ଟର ରପ୍ତାନୀ କରାଯାଇଛି। ଏହା ଏବେ ୧୩୫ଟିରୁ ଅଧିକ ଦେଶରେ ପ୍ରଚଳିତ ହେଉଅଛି। ଗତ କିଛି ବର୍ଷ ଧରି ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ୟୁନିଟ ସୋନାଲିକା ଟ୍ରାକ୍ଟର ବିକ୍ରି ହେବାଫଳରେ ଏ କ୍ଷେତ୍ରରେ ଏକ ବିରଳ ରେକର୍ଡ଼ ସୃଷ୍ଟି ହୋଇଛି। ଏପରିକି ଚଳିତ ବର୍ଷ ଏପ୍ରିଲ ମାସରେ ସୋନାଲିକା କେବଳ ୧୨୫୯୦ଟି ୟୁନିଟ୍ ବିକ୍ରି କରିଛି। ଏହି କମ୍ପାନୀ ଟ୍ରାକ୍ଟର ଶିଳ୍ପରେ ୧.୯ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଏହା କୃଷକଙ୍କ ଚାହିଦାକୁ ଗୁରୁତ୍ୱ ଦେବା ସହିତ ସେହି ଅନୁସାରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକରି ଟ୍ରାକ୍ଟରର ନିରନ୍ତର ବିକାଶ କରିଚାଲିଛି। ∎ ହାଉସିଂ ବୋର୍ଡ କଲୋନୀ, ଗୁରୁଜଙ୍ଗ, ଖୋର୍ଦ୍ଧା, ଓଡ଼ିଶା , ପିନ୍‌-୭୫୨୦୫୫ ମୋ- ୭୦୦୮୬୬୨୩୪୧