କାକର ଟୋପା ଶ୍ରୀ ଶରତ କୁମାର ଦାସ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-71f0199e6e.html ରାତିର ପରଦା କାଟିକି ସକାଳ ଥାପିଲାଣି ପାଦ ମରତେ ଆସି, ହେଲେବି ଆଲୁଅ ଛୁଇଁନି ମାଟିକୁ ଘନକୁହୁଡ଼ିର ଦାଉକୁ ନାଶି । ଥପଥପ ହୋଇ କାକରର ଟୋପା ଖସୁଛି ଆକାଶ ଛାତିକୁ ଚିରି,   ଅପରୂପ ଶୋଭା ଝଲମଲ ଠାଣି ଭରିଛି ତା` ଦେହେ ସରଗ ଶିରୀ ।    ଦୂବ ପତରରେ ତା` ରୂପର ଛବି ମୋତି ପରି ଭାରି ସୁନ୍ଦର ଦିଶେ, ଦିନ ଗଡ଼ିଗଲେ ହଜିଯାଏ ଧୀରେ ତା` ମିଠା ଚାହାଣୀ ମାଟିରେ ମିଶେ । ଅଳପ ସମୟ ଆୟୁଷ ତାହାର ତଥାପି ତିଳେ ତା` ନଥାଏ ଦୁଃଖ, ଢଳିଢ଼ଳି ନାଚେ କୋହଲା ପବନେ ଭରିଦିଏ ମନେ ଅମାପ ସୁଖ । କାକର ଟୋପାର ସମାନ ଜୀବନ ଏଇ ଅଛି ପୁଣି ଏଇତ ନାହିଁ, ସେନେହ ଶରଧା ଅତି ଆପଣାର  ରାଗ ହିଂସା ଆଉ କରିବା କାହିଁ । ∎ ମୋ-୮୨୪୯୧୩୭୦୯୧