ଗଛ ପଚାରୁଛି କୁହ ରତ୍ନାକର ନାୟକ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-6de9aeafd9.html ମଥା ନଇଁ କଥା ପଦେ ପଚାରୁଛି କହତ ଅବିଚାର କରେ ଯିଏ ସିଏ କଣ ମହତ? ସବୁଜିମା ଗୀତ ଗାଇ ଫୁଟାଏ ମୁଁ କୁସୁମ ଖରା, ମେଘ, ଜାଡ, ମାଡ ଖାଇ ବାଣ୍ଟେ ଉଷୁମ ॥ ସବୁ ଦିନ କଲବଲ କଲ ବିଷ ଧୂଆଁରେ ଏନ୍ତୁଡିରେ ସେକୁଥିଲି କାନ୍ଦ କୁଆଁ କୁଆଁରେ ॥ ପାଖେ ପାଖେ ରହିଅଛି ଜନମରୁ ମରଣ ଅଭାବ ରଖିନି କିଛି ଦେଇନାହିଁ କଅଣ? ଓଉଷଦ ଫୁଲ ଫଳ ଦେଲି ମନ ଜାଣିକି ଭୁଲିଗଲ ଦେବା ପାଇଁ ମୂଳେ ମୁନ୍ଦେ ପାଣିକି ॥ ଛାଇ ଦେଲି ଜାଳ ଦେଲି ଟେକାଶୁଳା ସହିଛି କଷଣ ଦେଉଛ ଯେତେ, ମୁହଁ ଖୋଲି କହିଛି ? କତା ଧରି କୁରାଢିରେ ମତେ କିଆଁ ହାଣୁଛ ଜାଣି ଜାଣି ତୁମ ପାଇଁ ବିପଦକୁ ଆଣୁଛ ॥ ମୁଁ ନ ଥିଲେ ହେ ମଣିଷ! ତମେ କଅଣ ରହିବ? ବିବେକ କୁ ପଚାରିକି ମତେ ଟିକେ କହିବ ॥ ହସ ଦେଇ ବାସ ବିଞ୍ଚେ ପବନ ମୋ ଶୀତଳ ସୁନାକୁ ଚିହ୍ନି ନପାରି କହୁଅଛ ପିତଳ ॥ ଯିଏ ଦେଲା ପର ହେଲା, ଏଇଟାକି ଧରମ ନିଜ ଗୋଡେ କୋଡି ମାର, ଲାଗୁ ନାହିଁ ସରମ ? ଏତେ ଦେବାନେବା, ସେବା ଅକାରଣ ଯେଉଁଠି ଗଛ ପଚାରୁଛି କୁହ ଦୋଷ ମୋର କେଉଁଠି ? ∎ ଭବାନୀପୁର, ଧର୍ମଶାଳା , ଯାଜପୁର