ଜହ୍ନ ଦିଲ୍ଲୀପ କୁମାର ସାହୁ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-6bf86974a5.html ଜହ୍ନ ଯେବେ ଆସେ ଆକାଶ ରେ ଉଇଁ ଚଉଦିଗ  ତୋଫା ଦିଶେ ହସେ ବାଟଘାଟ ହସେ ନଈତୁଠ ଦୂର ତାଳବଣ ହସେ । କୋଟିକୋଟି ତାରା ଆକାଶରେ ଭରା ତମସା ପାରେନି ନାଶି ଗୋଟିଏ ଜହ୍ନର ଆଲୁଅ ପରଶେ ସୁନ୍ଦର ଦିଶଇ ନିଶି । ପୃଥିବୀ ଘୂରୁଛି ସୂର୍ଯ୍ୟ ଚାରିପଟେ ସେଥିପାଇଁ  ରାତି ଦିନ ପୃଥିବୀର ଚାରି ପାଖରେ ନିଇତି ଘୂରୁଅଛି ଏଇ ଜହ୍ନ । ସୂରୁଯ ଆଲୁଅ ଜହ୍ନରେ ତ ପଡି ଝରଇ ଯୋଛନା ହୋଇ ଖରା ଲାଗେ ସିନା ଦେହକୁ ଉଷୁମ ଯୋଛନା ଶୀତଳ ଛାଇ । ଜହ୍ନ ରାତିରେ ତ ଭାରି ଭଲଲାଗେ ଆମ ଗାଁ ବଣ ବିଲ ଟୁଭି ପୋଖରୀରେ ଖିଲିଖିଲି ହସେ ମନଲୋଭା କଇଁ ଫୁଲ । ପୂରାଣରେ ଲେଖା  ଲକ୍ଷ୍ମୀଙ୍କ ସାଥିରେ ଜହ୍ନ ତ ସାଗରୁ ଜାତ ମାଆଙ୍କର ଭାଇ ହୋଇଥିବାରୁ ସେ ଜହ୍ନମାମୁଁବୋଲି କ୍ଷାତ । ଅଝଟ ଛୁଆକୁ ବୁଝାଇବା ପାଇଁ ମାଆ ଡାକେ ହସିହସି ଆ ଜହ୍ନମାମୁଁ ସରଗ ଶଶୀ ରେ କୁନା ହାତେ ପଡ ଖସି । ∎