ଦଶ ଟଙ୍କା ଦାଶ ବେନହୁର ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-661ce12c4c.html ଗୋଟିଏ କାଠି ଆଇସକ୍ରିମର ଦାମ ଦଶ ଟଙ୍କା। ଗାଁକୁ ବେଳେବେଳେ ଆଇସକ୍ରିମବାଲା ଠେଲା ଗାଡି ଆଣି ଆଇସିକ୍ରିମ ବିକେ । ସେଦିନ ଥିଲା ରବିବାର । ଦିପହର ବେଳ । ବିନୋଦର ସ୍କୁଲ ଛୁଟି । ସେ ଘରେ ଥାଏ । ହଠାତ ଆଇସକ୍ରିମବାଲା ର ଘଣ୍ଟି ଠଁ ଠଁ ଶୁଭିଲା ମନ ହେଲା ଆଇସକ୍ରିମ ଖାଆନ୍ତି । ହେଲେ ପଇସା କାହିଁ ? ପୁଣି ଗୋଟାକ ଦଶ ଟଙ୍କା । ପ୍ରଥମେ ଭବିଲା, ନା , ଥାଉ । ହେଲେ ମନ ବୁଝୁଛି କେତେକେ । ଜେଜେ ତାକୁ ବହୁତ ଭଲ ପାନ୍ତି । କେତେ ଗପ ଗୀତ କହନ୍ତି । ମୁଣ୍ଡ ଆଉଁସି ଦିଅନ୍ତି । ବିନୋଦ କଥା ଶୁଣି ଜେଜେ ହସିଦେଲେ । ପିନ୍ଧିଥିବା ଜାମା ପକେଟରୁ ଦଶ ଟଙ୍କା କାଢି ତ ହାତକୁ ବଢେଇ ଦେଲେ । ବିନୋଦର ମନ କୁଣ୍ଢେ ମୋଟ । ସେ ଧାଇଗଲା ଗାଁ ଦାଣ୍ଡ କୁ । ସେତେବେଳକୁ ଆଇସକ୍ରିମବାଲା ଖଣ୍ଡେ ଦୂର କୁ ଚାଲି ଗଲାଣି । ଆଇସକ୍ରିମବାଲା ଠାରୁ ଦୁଇଜଣ ପିଲା ଆଇସକ୍ରିମ କିଣୁଥାନ୍ତି । ସେ ଯେମିତି ପାଖକୁ ଯାଇଛି ଦେଖିଲା , ଆଉ ଜଣେ କିଏ ସାଇକେଲରେ ବିଜ୍ଞାପନ କାଗଜ ଝୁଲେଇ ଡାକ ଛାଡୁଛନ୍ତି ` ଲଟେରୀ , ` ଲଟେରୀ `। ଦଶ ଟଙ୍କାରୁ ଦଶ ଲକ୍ଷ । ଭାଗ୍ୟରେ ଥିଲେ ମିଳିବ । ପ୍ରଥମ ପୁରସ୍କାର ଦୁଇ ଲକ୍ଷ । ଦ୍ଵିତୀୟ ପୁରସ୍କାର ଦେଢ ଲକ୍ଷ । ତୃତୀୟ ପୁରସ୍କାର ଲକ୍ଷେ । ଏ ମାସ ଶେଷରେ ଲଟେରୀ ଉଠାଣ । ନିଅ, ନିଅ । ଭାଗ୍ୟ ପରୀକ୍ଷା କର । ଥମ କରି ଠିଆ ହୋଇଗଲା ବିନୋଦ। ମନେ ପଡିଲା , ଜେଜେ ସବୁବେଳେ କହନ୍ତି । ତୁମ କର୍ମ । ତୁମ ଭାଗ୍ୟ । ଭାଗ୍ୟ ବୋଲି କହି କାମ ନ କଲେ ନିଜର କ୍ଷତି । କର୍ମ କଲେ ଭାଗ୍ୟ ଆପେ ବଦଳିବ । ଆଇସକ୍ରିମବାଲା, ଲଟେରିବାଲା । ଉଭୟ ପାଖାପାଖି ଠିଆ ହୋଇଥାନ୍ତି । ବିନୋଦ ବିଚାରକଲା । ଦଶ ଟଙ୍କାରୁ ଦଶ ଲକ୍ଷ ! ବଢିଆ ତ! !! !। ଗତକାଲି ଜେଜେଙ୍କ ସହିତ ବିନୋଦ ଯାଇଥିଲା ମନ୍ଦିର । ସେଇଠି ଦେଖା ହୋଇଥିଲେ ଜେଜେଙ୍କର ଜଣେ ପ୍ରିୟ ବନ୍ଧୁ । ନବଘନ ଲେଙ୍କା । ଜେଜେଙ୍କ ଠାରୁ ସାନ। ବନ୍ଧୁ ଭଳି ନିଜର । ଗୋଡ ତାଙ୍କର ଫୁଲି ଯାଇଥିଲା । ଦୁର୍ବଳ ଦେହ । ଚାଲିପାରୁ ନ ଥିଲେ। ଦୁଇ ଜଣଙ୍କ କଥାବାର୍ତ୍ତାରୁ ବିନୋଦ ଶୁଣିଥିଲା , ନବଘନ ଜେଜେଙ୍କର କିଡନୀ ବେମାର । କିଡନୀ ଲଗାଇବାକୁ ପଡିବ । ଅସ୍ତ୍ରୋପଚାର ଲୋଡା । ଅନ୍ୟୁନ ଦୁଇ ଲକ୍ଷ । ସେ ଗରିବ ଲୋକ ଚାଷବାସ କରି ଚଳୁଥିଲେ । ଏତେ ପଇସା କୋଉଠୁ ଆଣିବେ? ବାଟସାରା ଜେଜେ ମନଦୁଃଖ କରି ଫେରିଲେ ଘରକୁ । କହିହେଉଥିଲେ- ଆହା । ବିଚରା କେତେ ଦୁଃଖ ପାଉଛି । ମୁଁ ସାହାଯ୍ୟ କରିବାକୁ ଚାହିଁଲେ ବି କରିବି କଣ? ଏତେ ଗୁଡାଏ ଟଙ୍କା! ଜେଜେଙ୍କ ମନକଥା ବୁଝିପାରୁଥାଏ ବିନୋଦ । ତାର ବି ମନଦୁଃଖ ହୋଇଗଲା ନବଘନ ଜେଜେଙ୍କ ପାଇଁ । ହଠାତ ଲଟେରିବାଲାର ଦଶ ଟଙ୍କାରୁ ଦୁଇ ଲକ୍ଷ ଟଙ୍କା କଥା ଶୁଣି, ମନ ତାର ଚହଲିଗଲା । ଭାବୁଥାଏ କଣ କରିବ? ଏ ପଟେ ଆଇସକ୍ରିମ ସେପଟେ ଲଟେରୀ । ଲଟେରୀକୁ ଜୁଆ ବୋଲି କହି ଜେଜେ ନାପସନ୍ଦ କରିବାର କେବେକେବେ ଶୁଣିଛି ସେ । ନାଇଁ ଛାଡ । ଲଟେରୀ କିଣିବା କଥା ଶୁଣିଲେ ଜେଜେ ରାଗିବେ । କିନ୍ତୁ ମନ ହେଉ ନ ଥାଏ ଦଶ ଟଙ୍କା ଦେଇ ଆଇସକ୍ରିମ ଖାଇବାକୁ । ଓଲଟ ପାଲଟ ହୋଇଗଲା ଭାବନା। ଶେଷରେ ସେ ଲଟେରିବାଲା ପାଖରେ ଠିଆ ହୋଇ ଦଶ ଟଙ୍କିଆ ନୋଟଟି ବଢାଇଦେଲା । ଲଟେରିବାଲା ପଚାରିଲା, ନାଁ ଓ ଠିକଣା କଣ ? କଣ ଭାବି ବିନୋଦ କହିଲା, ନବଘନ ଲେଙ୍କା, ତାଳସରୀ, ମୁଗପଦା । ଲଟେରୀ ଟିକେଟ ବଢେଇ ଦେଲା ବେଳେ ଲଟେରିବାଲା କହିଲା , ଆସନ୍ତା ୩୦ ତାରିଖ ଲଟେରୀ ଉଠାଣ ହୋଇ ୩୧ ତାରିଖରେ ଖବରକାଗଜରେ ବାହାରିବ । ଦେଖିନେବ । କାଳେ ତମ ଭାଗ୍ୟରେ ଥିବ। ଟିକେଟ ହଜେଇବନି । ନମ୍ବର ତ ମୂଳ । ୩୧ ତାରିଖ ଆସିଲା । ବିନୋଦର ମନ ଛଟପଟ ହେଉଥାଏ । କିଛି ନ ହେଲେ ତୃତୀୟ ପୁରସ୍କାରଟା ମିଳିଥାଉ । ନବଘନ ଜେଜେ ପାଇବେ ଟଙ୍କା । ଜେଜେ ନିଜେ କେତେ ଖୁସୀ ହେବେ । ମିଳି ଯାଆନ୍ଟା କି? ଠାକୁରଙ୍କୁ ହାତଯୋଡି ପ୍ରାର୍ଥନା କଲା ସେ । ସ୍କୁଲରୁ ଫେରି ଜେଜେ ପଢୁଥିବା ଖବର କାଗଜଟା ଟାଣି ନେଇ ସେ ଲଟେରୀ ଫଳ ଖୋଜି ଲାଗିଲା । ଧାଇଁଯାଇ ନମ୍ବର ଆଣି ମିଳେଇଲା । ହେ ଭଗବାନ! ଖୁସିରେ ଡେଇଁଲା ବିନୋଦ । କି ଆନନ୍ଦ । ଏ କଣ ସତ । !!! ! ଜେଜେ ପଚାରିଲେ, କଣ ହେଲା? ବିନୋଦ କହିଲା, ନବଘନ ଜେଜେଙ୍କର ଦୁଇ ଲକ୍ଷ ଲଟେରୀ ଉଠିଛି । ସେ ବଞ୍ଚିଯିବେ । ଘରେ ସମସ୍ତେ ସବୁକଥା ଜାଣିଲେ । ଜେଜେ କହିଲେ , ମୋ ବିନୋଦ ହୀରାଟାଏ । ଯେ ଶୁଣିଲା, ବାହାବାହା କଲ।।