ମାଟି ମାଆ ବସିରନ୍ ବିବି ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-6426e8dab5.html ଆକାଶ,ସୂରୁଯ ସବୁ ତ ଉଚ୍ଚରେ ହାତ ମୋର ପାଏ ନାହିଁ । ଗୋଟିଏ ଦରବ ପାଖରେ ଅଛି ମୋ` ମାଟି ମାଆ ପରା ସେହି । ସହିଥାଏ ମୋର ଅଳି ଅରଦଳି ଜନମୁ ମରଣ ଯାଏ । ଯେବେ ଯା` ମାଗଇ ଉଦାର ଚିତରେ ସବୁ ମୋତେ ଦେଇଥାଏ । ଜନମ କାଳରେ ପଡ଼ି ତା`ର କୋଳେ କାନ୍ଦୁଥିଲି କୁଆଁ କୁଆଁ । ମାଆ ତା` କୋଳକୁ ତୋଳି ନେବା ଆଗୁ ଧରିଥିଲା ମାଟି ମାଆ । ଶଇଶବ କାଳେ, ହସକାନ୍ଦ ଛଳେ ପିଟିଛି ତା`ବୁକେ ପାଦ । ତୋଳି ଧରିଥିଲା କେତେ ସରାଗରେ଼ ମନେ ନବହି ସେ ଖେଦ । ପେଟେଇ , ଗୁରୁଣ୍ଡି , ଉଠି ପଡି କେତେ ଶିଖିଛି ତା` ଦେହେ ଚାଲି । ଧାଇଁ ଯାଉଯାଉ ଝୁଣ୍ଟି ପଡୁଥିଲି କୋଳେ ନେଉଥିଲା ତୋଳି। କେତେ ଯେ ଦୂଷିତ କରିଛି ତାହାକୁ ଦେଇନାହିଁ ଦୂରେ ଠେଲି । ସହିଷ୍ନୁତା ଗୁଣେ ଜଗତେ କେ` ଅଛି ହେବ ମାଟି ମାଆ ସରି ! ବଞ୍ଚାଇଛି ମୋତେ ଦେଇ ଖାଦ୍ୟଜଳ ଆଶ୍ରୟ ଦେଇ ତା କୋଳେ । ସରଗରୁ ବଡ଼ ମାଟି ମାଆ ପଦେ କୋଟିଏ ପ୍ରଣତି ଢାଳେ । ∎ ନୟାଗଡ଼ ଦୂରଭାଷ-୯୪୩୭୪୮୪୭୮୬