ଗଣଙ୍କ ମଧ୍ଯରେ ଜଣେ ହେଲା ଜୀବନ ରତ୍ନାକର ଦାସ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-631c653ddf.html ବହୁତ ପିଲା ସେ ବିଦ୍ୟାଳୟରେ ପଢୁଥିଲେ ବି ସମସ୍ତେ ସମସ୍ତଙ୍କୁ ଚିହ୍ନିଥିଲେ ବି ଛଅ ଜଣ ପିଲାଙ୍କ ମଧ୍ଯରେ ବନ୍ଧୁତା ବା ସାଙ୍ଗ ହେବା ଥିଲା ନିଆରା।ସେମାନେ ଗୋଟିଏ ଶ୍ରେଣୀରେ ପଢୁଥିବାରୁ ଖେଳ ଛୁଟିରେ ମିଳିମିଶି ଖେଳନ୍ତି,ଯିଏ ଯାହା ଖାଇବା ନେଇଥାନ୍ତି ସାଥୀ ହେଇ ଖାଆନ୍ତି ଓ ଖୁସି ମଜା ହୁଅନ୍ତି। ସେମାନଙ୍କ ଭିତରୁ ତିନି ନମ୍ବର ସାଙ୍ଗ କହିଲା ଆମେ କୌଣସି ଛୁଟି ଦିନ ଦେଖି ପାଞ୍ଚ ଜଣ ମିଶି ଜଣକ ଘରକୁ ଯିବା।ଆଉ ଦିନେ ବି ସେଇଭଳି ଅନ୍ଯ ଜଣକ ଘରକୁ ଗଲେ ଛଅ ଦିନରେ ସମସ୍ତେ ସମସ୍ତଙ୍କ ଘର ବୁଲି ପାରିବା ଓ ଦେଖି ପାରିବା।ତା କଥାକୁ ଅନ୍ଯମାନେ ଗ୍ରହଣ କଲେ ଓ ତହିଁଆରଦିନ ରବିବାର ପ୍ରସ୍ତାବ ଦେଇଥିବା ତନି ନମ୍ବର ସାଙ୍ଗ ଘରେ ଅନ୍ଯମାନେ ପହଞ୍ଚିଲେ।ତାଙ୍କ ଘରେ ଯାହା ଖାଇବା ହେଇଥିଲା ସମସ୍ତେ ଖାଇଲେ କିନ୍ତୁ ସେଠାରେ ସେଦିନ ଇଲେକ୍ଟ୍ରି ଲାଇନ୍ ନ ଥିବାରୁ ଜୀବନ ବ୍ଯତୀତ ଅନ୍ଯ ମାନେ ଭାରି ବିରକ୍ତି ହେଇ ଫେରିଲେ। ତହିଁଆରଦିନ ରବିବାର ଏକ ନମ୍ବର ସାଙ୍ଗ ଘରେ ଅନ୍ଯମାନେ ପହଞ୍ଚିଲେ ଯେ ତାଙ୍କର ଗ୍ଯାସ ସରିଯାଇଥିଲା।ତା`ମାଆ ସେମାନଙ୍କୁ ମୁଢି ଚେନାଚୁର ଖାଇବାକୁ ଦେଲେ ଯେ ସମସ୍ତେ ନାକ ଟେକିଲେ।କିନ୍ତୁ ଜୀବନ ଖୁବ୍ ଖୁସିରେ ସେ ସବୁ ଖାଇ ଘରକୁ ଫେରିଲା।ଅନ୍ଯ ଦିନେ ଯାହାଙ୍କ ଘରକୁ ଗଲେ ତାଙ୍କ ଜେଜେ ମା` ରୋଗ ବିଛଣାରେ ପଡି ଝାଡା ପରିଶ୍ରା କରୁଥାନ୍ତି ସେଇଠି।ଜୀବନ ତାଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କଲା କିନ୍ତୁ ଅନ୍ଯମାନେ ବାରଣ୍ଡାରେ ଠିଆ ହେଇଥାନ୍ତି।ଅନ୍ଯ ଦିନେ ଯେଉଁ ସାଙ୍ଗ ଘରକୁ ଗଲେ ତାଙ୍କର ଭଲ ଖାଇବା କରିଥିଲେ।କିନ୍ତୁ ପଡିଶା ଘରେ ଜଣେ ଲୋକ ମରି ଯାଇ ଥିବାରୁ ଆମ ସଂସ୍କୃତି ପ୍ରକାରେ ସମସ୍ତେ ଉପବାସ ରେ ଥାଆନ୍ତି।ଅନ୍ଯମାନେ ଖାଇବା ଓ ଘରକୁ ଫେରିବା ପାଇଁ ବ୍ଯସ୍ତ ହେଇ ପଡୁଥିବା ବେଳେ ଜୀବନ ଧୈର୍ଯ୍ୟର ସହ ବସିଥାଏ ସେଇଠି।ଶେଷରେ ଜୀବନ ଘରକୁ ଅନ୍ଯ ମାନେ ଯେଉଁଦିନ ପହଞ୍ଚିଲେ ଜୀବନ ସେଦିନ ଘରେ ନ ଥିଲା।ତାଙ୍କ ବସ୍ତିରେ ଜଣେ ମହିଳା ଜରରେ ଖୁବ୍ ଜୋର୍ ରେ ଥରୁଥିଲେ ଯେ ତାଙ୍କୁ ଜଣେ ନାଲି ପୋଷାକ ପିନ୍ଧା ଦାଢିଆ ଲୋକ ଗୁଣି ମନ୍ତ୍ର ଫୁଙ୍କା ଝଡା କରୁଥିବାର ଜାଣି ସିଏ ଶହେ ଆଠକୁ ଫୋନ କରି ଅପେକ୍ଷା କରିଥାଏ ଗାଡିକୁ।ଜୀବନର ମାଆ ସବୁ ଛୁଆଙ୍କୁ ଆତ,ପିଜୁଳି ଓ କାଠ ନିଆଁ ରେ ପୋଡ଼ପିଠା ସହିତ ଦୁଧ ଗୁଡ ଖାଇବାକୁ ଦେଇ ଶ୍ରଦ୍ଧାରେ ବାଟେଇ ଦେବାକୁ ଆସିଲେ ଗାଆଁ ମୁଣ୍ଡ କଦମ୍ବ ଗଛ ଯାଏ। ଜୀବନ ଘରକୁ ଫେରିଲା ବେଳକୁ ସାଙ୍ଗ ମାନେ କେହି ନ ଥାନ୍ତି।ମାଆ ତୁଣ୍ଡରୁ ସବୁ କଥା ଶୁଣି ସେ ଖୁସି ହେଲା।ତହିଁଆରଦିନ ସମସ୍ତେ ସ୍କୁଲରେ ଏକାଠି ହେଲେ।ଜୀବନ ଅନ୍ଯ ମାନଙ୍କୁ ନିଜର ଅନୁପସ୍ଥିତ ପାଇଁ କ୍ଷମା ମାଗିବାରୁ ସମସ୍ତେ ତା ପାଖରେ ମୁଣ୍ଡ ନୁଆଁଇଲେ। ଏ କଥା ଶିକ୍ଷକଙ୍କ କାନକୁ ଯିବାରୁ ଶିକ୍ଷକ କହିଲେ ,ଯିଏ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବ ସିଏ ତା ଜୀବନରେ କେବେ ବି କେଉଁଠି ହାରିଯିବ ନାହିଁ। ∎ ସଦସ୍ଯ - ଶିଶୁ କିଶୋର ସାହିତ୍ଯ ଏକାଡେମୀ,ଭୁବନେଶ୍ବର।