ସରଗେ ଉଇଁଛି ଜହ୍ନ ଅଧ୍ୟାପକ ଶ୍ରୀ ଶରତ କୁମାର ଦାସ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-5a8b8cc029.html ପୋଖରୀରେ ପରା ଫୁଟିଲାଣି କଇଁ ସରଗେ ଉଇଁଛି ଜହ୍ନ, ଜହ୍ନ ଧରିବାକୁ ଗୁଡୁଲ୍ ବାବାର ମନ ଖାଲି ଛନଛନ ।  ତରବରେ ଯାଇ କହିଲା ମାଆକୁ ଆଣି ଦିଏ ଜହ୍ନ ମୋତେ, ଖେଳିବି ତା` ସାଥେ ହେବିନି ଚଗଲା କହୁଛି ସତ ମୁଁ ତୋତେ । ହସିହସି ମାଆ କହିଲେ ପୁଅକୁ- ବହୁ ଦୂର ତାଙ୍କ ଘର, ବାଟ ତ ଜାଣିନି କେମିତି ଯିବି ମୁଁ ଲାଗେ ମୋତେ ଭାରି ଡର । ଆମେ ସବୁ ତଳେ ସେ ପରା ଉପରେ ଜହ୍ନିଫୁଲ ପରି ମୁହଁ, ଦେଖିଦେଲେ ଥରେ ଚେହେରା ତାଙ୍କର  ବହେ ତ ଖୁସିର ସୁଅ । କିଏ ଡାକେ ତାଙ୍କୁ ଜହ୍ନମାମୁ ପୁଣି କେ କହେ ଚାନ୍ଦ ବା ଇନ୍ଦୁ, ଧୋବଧଉଳିଆ ଚିକିମିକି ଦିହ ଜୋଝନାର ମହାସିନ୍ଧୁ । ଦିନ ସରିଗଲେ ସଂଜ ଆସିଗଲେ ଆସନ୍ତି ଆକାଶେ ସିଏ, ଅଜାଡ଼ି ଦିଅନ୍ତି ଶୀତଳ ପରଶ (ସେ) ଉପକାରୀ ବନ୍ଧୁଟିଏ । ମାଆଙ୍କର କଥା ଶୁଣି ତ ଗୁଡୁଲ୍ ମନେ ଭାରି ଖୁସି ହେଲା, ବଡ଼ହେଲେ ହେବ ଜହ୍ନପରି ସିଏ ମାଆଙ୍କୁ ସେ କଥାଦେଲା । ମନ ତା`ର ହେବ ସ୍ବଚ୍ଛ ନିରିମଳ  ଜନ ହିତେ ହେବ କାମ, ଜ୍ଞାନର ଆଲୋକ ସରାଗରେ ଢାଳି ରଖିବ ଦେଶର ନାମ । ∎ ବିଭାଗ ମୁଖ୍ଯ, ରାଜନୀତି ବିଜ୍ଞାନ ବିଭାଗ  ବଡ଼ବିଲ ମହାବିଦ୍ୟାଳୟ, ବଡ଼ବିଲ  ଜିଲ୍ଲା-କେନ୍ଦୁଝର  ମୋ-୮୨୪୯୧୩୭୦୯୧