ଫୁଲ ଓ ପତର ପ୍ରଭାତ ନଳିନୀ ସାହୁ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-5a778a152b.html ପତର କହିଲା -ଫୁଲ ଲୋ ରୂପ ତୋ ଅମୂଲମୂଲ ଲୋ ଦୁଇ ଦିନପାଇଁ ଜନମ ତୋହର ଏ ଜୀବନ କିବା ଭଲ ଲୋ? ସୁନ୍ଦର ନୁହେଁ ମୁଁ ତୋ` ପରି ଯାଏନା ସଅଳ ଶୁଖି ଝରି ତୋ`ଠାରୁ ଅଧିକ ଜୀବନ ଜୀଉଁଛି ତୁହି କେବେ ନୁହେଁ ମୋ` ସରି। ଫୁଲ କହିଲା- ରେ ପତ୍ର ଭାଇ, କାହିଁକି କରୁଛୁ ଏତେ ବଡେଇ? ଦେବତାଙ୍କ ଶିରେ ଲାଗୁଥାଏ ସଦା ଜନ୍ମଦିନେ ଖୋଜା ପଡେ ମୁହିଁ। ବ୍ରତ,ବାହାଘର,ଗାଡି ସଜା ଶବାଧାରେ ପୁଣି ଯେତେ ପୂଜା ପୂନିଅଁ ପରବ ସକଳ କାମରେ ପଡୁଥାଏ ପରା ମୋତେ ଖୋଜା। ରୂପର ବଡିମା ଜାଣେନା କାମ ଛୋଟ ବଡ ଭାବେନା ଯେତେ ଦିନପାଇଁ ଜନମିଛି ମୁହିଁ ସେବା କରିବା ମୋ କାମନା। ବୁଝିଗଲା ଏବେ ପତର ଆଖି ଖୋଲିଗଲା ତାହାର ଜାଣିଲା ଜୀବନେ ଉପକାର କଲେ ମରି ମଧ୍ୟ ହୁଏ ଅମର। ∎ ଆର୍,ପି,--୬୭,ପାଣ୍ଡବ ନଗର ଟଙ୍କପାଣି ରୋଡ୍,ବଡଗଡ ବ୍ରିଟ୍ କଲୋନୀ ଭୁବନେଶ୍ବର ୧୮