କିଏ ବା ପାରିବ କଳି ତୁମ କରୁଣା ଅନନ୍ତ କୁମାର ସେନାପତି ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-59e8d0b6f4.html ଝରଣା କୁ ଶିଖାଇଲ ବହିବା ପାଇଁ କୁଳୁକୁଳୁ ଶବଦରେ ନିତି ଝରଇ । ସୂରୁଜ ଦେହରେ ଦେଲ ଆଲୋକ ଭରି ଧରଣୀ କୋଳରେ ଆସି ପଡଇ ଝରି । ପକ୍ଷୀଙ୍କ କଣ୍ଠରୁ ଶୁଭେ ମଧୁର ସ୍ୱର ଲାଗେ ସତେ ଉଭା ଅଛି ସରଗପୁର । ନାନା ରଙ୍ଗେ ସଜାଇଲ ଫୁଲ ପାଖୁଡା ପରଜାପତି ର ମନେ ସପନ ଭରା । କୋଟି କୋଟି ତାରା ରହି ନୀଳ ଆକାଶେ ଦିବ୍ୟ ଜ୍ୟୋତି ପ୍ରକାଶନ୍ତି ତୁମ ଆଶିଷେ । କେବେ ଦିନ କେବେ ରାତି କେବେ ବରଷା ଶୀତ କାକର ରୂପରେ ହୁଅ ଭରସା । ମୋ ମନରେ ଭରିଦିଅ ଜ୍ଞାନ ଆଲୋକ ସେଇ ଆଲୋକେ ଚାଲିବି ଜୀବନଯାକ । ଜଳ, ସ୍ଥଳ, ଆକାଶରେ, ସୂରୁଜ ଦେହେ ଫୁଲ ପାଖୁଡ଼ାରେ ତୁମ ମହକ ବହେ । କିଏ ବା ପାରିବ କଳି ତୁମ କରୁଣା ତୁମ ବିନା କିଛି ନାହିଁ ଜଗତେ ଜଣା । ∎ ବାଣ୍ଠୁପଡା, ଗଙ୍ଗାନଗର, ୱାର୍ଡ 18 ରାଜଗାଙ୍ଗପୁର , ଜିଲ୍ଲା ସୁନ୍ଦରଗଡ଼ ଫୋନ 7008304225