ନୂଆ ସୂରୁଜଟି ହସେ ଡ ରବିନାରାୟଣ ସାହୁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-589a3914a7.html ଅନ୍ଧାର ରାତିର କଳା ପରଦାଟି ଧରଣୀରୁ ଯେବେ ଖସେ ପୂରୂବ ଆକାଶେ ସିନ୍ଦୂରା ଫଟେଇ ନୂଆ ସୂରୁଜଟି ହସେ। ବିଞ୍ଚି ବିଞ୍ଚି ଦିଏ ନାଲିଆ ମୁରୁଜ କୋଣେ କୋଣେ ଚଉଦିଗେ ସବୁଜ ପତର ଘାସ ଗାଲିଚାରେ ନବ ଶିହରଣ ଜାଗେ। ଉଛୁଳି ପଡେ ସେ ଗିରି ଶିଖରରେ ଖେଳଇ ଝରଣା ଜଳେ ସାଗର ଲହରୀ ପରେ ନାଚି ନାଚି ଜନ ମନ ଚିତ୍ତ ହରେ। ଉଡି ଯାଉଥିବା ଚଢ଼େଇ ପରରେ ଫୁଲର ପାଖୁଡ଼ା ଧାରେ ଭେଦ ଭାବ ଭୁଲି ଛୁଇଁ ଛୁଇଁ ଯାଏ ନରମ ସୁନେଲି କରେ। ଗ୍ରୀଷମେ ଜଳଇ ରଡ଼ ନିଆଁ ପରି ଶୀତରେ ଲାଗଇ ମିଠା ଟପ ଟପ ବରଷା ବିନ୍ଦୁରେ ଇନ୍ଦ୍ରଧନୁ ର ଛଟା। ନିଇତି ଉଠେ ସେ ସଅଳ ଶେଯରୁ ଦିନେ ବି କରେନି ଡେରି ସାରା ଦିନ ଯାକ କିରଣ ବିତରି ସଂଜ ଆଗୁ ଯାଏ ଫେରି। ସବୁରି କାନରେ କହିଯାଏ ସିଏ ହୁଅ ନାହିଁ ଅଳସୁଆ ସମୟକୁ ଚିହ୍ନି କର୍ମଠ ହୋଇଲେ ଜିତାପଟ ବାବୁ ଥୁଆ। ∎ ଭ୍ରାମ୍ୟଭାଷ – ୯୮୬୧୦୮୯୩୪୮