ପଣା ଜୟନ୍ତ କୁମାର ଓଝା ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-539c536ea6.html ବେଲ କହେ ଆରେ ନଡ଼ିଆ ଭାଇ ପଣା ସଙ୍କରାନ୍ତି ଆମରି ପାଇଁ। ହସି କହେ ଆସି କଦଳୀ ବୁଢ଼ା ଡାକିଲେନି ବୋଲି ରାଗିଛି ଚୁଡ଼ା। ଛେନା ଗୁଡ଼ ଦୁହେଁ ଆସିଲେ ହସି ଚକା ପାରି ଗଲେ ମଝିରେ ବସି। ରାଗରେ ମରିଚ ଆସିଲା ଧାଇଁ କହେ ମତେ କାହିଁ ଡାକିଲ ନାହିଁ? ବସି ବସି ଧିରେ କହିଲା ଦହି ଦେଖ ଆଉ କିଏ ଗଲେକି ରହି? କାଜୁ କହେ ଖାଲି ଆସିବ ନୀର ଡାକିବାକୁ ତାକୁ ଯାଇଛି କ୍ଷୀର। ଯିଏ ଯହିଁ ରହିଥିଲେଟି ବାକି ସଭିଏଁ ସଭିଙ୍କୁ ଆଣିଲେ ଡାକି। ରାଗ ରୁଷା ଭୁଲି ହୋଇଲେ ମେଳ ଗୋଳାଗୋଳି ହୋଇ ଚାଲିଲା ଖେଳ। ନିଜ ସୁଆଦରେ ନ ହୋଇ ଗଣା ମିଶିମାଶି ଶେଷେ ହୋଇଲେ ପଣା। ମିଶିଯିବା ଆମେ ସବୁ ତା ପରି ଭାଇ ଭାବ ମଧୁ ପଡିବ ଝରି। ପଣା ଆଜି ଏହି ବାରତା ବହି ସଭିଙ୍କୁ ସରାଗେ ଯାଉଛି କହି। ∎ ଗ୍ରାମ-ଭଅଁରା, ପୋ-ଭୁରୁଙ୍ଗା ଜିଲ୍ଲା-ଯାଜପୁର-755017