ମୋ`ଗୁହାରି ଶୁଣ ଠାକୁରେ କବିଜ୍ୟୋତି ନିରଞ୍ଜନ ପତି ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-52ed5b7d32.html ଶିଶୁ ଟିଏ ମୁହିଁ ଗୁହାରି କରୁଛି ପ୍ରଭୁ ଜଗନ୍ନାଥ ଦିଅ ହେ ଦେଖା ରଥ ଯାତରାରେ ତୁମ୍ଭଙ୍କୁ ଦେଖିବୁ ତୁମେ ଆମ ଗୁରୁ ତୁମେ ହିଁ ସଖା । ଛୁଆଁ ଅଛୁଆଁର ଭେଦଭାବ ନାହିଁ ତୁମରି ପାଖରେ ଜାଣିଛୁ ଆମେ, ଯାତରା ଭିଆଇ ଦର୍ଶନ ଦେଉଛ ଗୁଣ୍ଡିଚା ଯାତରେ ଶ୍ରୀକ୍ଷେତ୍ର ଧାମେ । ବିଶ୍ୱ ପ୍ରସିଦ୍ଧ ଏ ଘୋଷ ଯାତରାରେ ଗୁଣ୍ଡିଚା ମାଆଙ୍କ ଘରକୁ ଯାଅ, ମାଆ ହାତ ରନ୍ଧା ଭୋଜନ ପରଷା ଭାଇ ଭଗ୍ନୀ ସାଥେ ଆନନ୍ଦେ ଖାଅ । ଟିଭିରୁ ଶୁଣିଛି ମାଆଠୁ ଜାଣିଛି ବାଟରେ ତୁମର ମାଉସୀ ଘର, ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଫେର ମାଉସୀକୁ ତୁମେ ନଭାବି ପର । ବାପା ମାଆ ସାଥେ ପୁରୀ ଆସିଥିଲୁ ଛଅ ଘଣ୍ଟା ହେଲୁ ଧାଡ଼ିରେ ଠିଆ ଠେଲାପେଲା ମଧ୍ୟେ ଦରଶନ କଲୁ ଏମିତିଆ ଲୀଳା ତୁମର କିଆଁ । ରଥ ଯାତରାରେ ଦର୍ଶନ କରିବୁ ତୁମ ସହ ଥିବେ ଭଉଣୀ ଭାଇ କେତେ କେତେ ଭକ୍ତ ଦେଖିବେ ତୁମକୁ ଜୟ ଜଗନ୍ନାଥ ନାମକୁ ଗାଇ । ଦରଶନ କରି ତୁମକୁ ଫେରିଲେ ନୂଆ ପାଠେ ମନ ଲଗାଇ ଦେବି, ତୁମ ଶୁଭାଶିଷ ମୋଠାରେ ରହିବ ଜୀବନରେ ମୁହିଁ ଯଶସ୍ୱୀ ହେବି । ଏଇଥର ମୁହିଁ ଯାତକୁ ଯିବି, ମୋ`ଭାଇ ଭଉଣୀ ସାଥୀରେ ନେବି । ∎ ମୋ-୯୯୩୮୧୩୩୫୫୯