ମାଛଙ୍କ କଳି ମନୋରମା ମିଶ୍ର ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-5299bd8955.html ମାଛମାନେ ଥରେ ପାଣିରେ ଥାଇ କଳିକଲେ ଏକ ଆନକୁ ଚାହିଁ। ଗୋଟେ ଦଳ ଥିଲେ ରୋହି ଭାକୁଡ ଅଲଗା ଦଳରେ ଫଳି ଚିତଳ। ଶେଉଳ ବାଳିଆ ମିରିକାଳିରେ ମାଗୁର ଚିଙ୍ଗୁଡି ମିଶିଲେ ପରେ। କଉ ଦଣ୍ଡିକିରି ଗଡିଶା ତୋଡି ଟେକିଲେ ମଥାକୁ ଘଡିକି ଘଡି। ମୀନ ମହୁରାଳି କେରାଣ୍ଡି ମିଶି ଡେଇଁଲେ ପାଣିରେ ସବୁଠୁ ବେଶି। ଏତିକି ବେଳରେ କେଉଟ ଦୁଇ ପହଂଚିଲେ ମାଛ ଧରିବାପାଇଁ। ଖେପାଜାଲଟିକୁ ଦେଲେ ବିଛେଇ କଳିଛାଡି ମାଛ ଗଲେ ପଛେଇ। ପଛବୁଦ୍ଧି ପୁଣି ବୋକା ଯେ ଥିଲେ ପଡିଲେ ବିଚରା କେଉଟ ଜାଲେ। ଜାଲରେ ପଡି ସେ`ହେଲେ ବିକଳ ଭାବିଲେ ଏ ସବୁ କଳିର ଫଳ। ଆଉ ମାଛତକ ପାଣି ଭିତରେ ମିଳିମିଶି ଯାଇ ଲୁଚିଲେ ଡରେ। ∎ ନୀଳାଦ୍ରିବିହାର ଭୁବନେଶ୍ୱର