ଅଗ୍ରପୂଜ୍ୟ ଗଜାନନ ଅନ୍ତର୍ଯ୍ୟାମୀ ବେଜ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-4e9e7b61e9.html ଉତ୍ସବ ମୁଖର ପୁର ଓ ନଗର ଶୁଭେ ତୂରୀ ଘଣ୍ଟ ସ୍ୱର, ପ୍ରଭୁ ଗଜାନନ ଆଜ ଜନ୍ମଦିନ ବିଦ୍ୟା ବୁଦ୍ଧିର ସାଗର। ମୂଷିକ ବାହନ ଗଉରୀ ନନ୍ଦନ ହୋଇଥାଅ ଆବାହନ, ବିଦ୍ୟାଳୟ ପୂରା ଭାବାବେଗ ପରା ସର୍ବେ ମଣୁ ଧନ୍ୟ ଧନ୍ୟ। ଅଗ୍ରେ ପୂଜାର୍ଚ୍ଚନା ଭକ୍ତି ଆରାଧନା ବକ୍ରତୁଣ୍ଡ ବିଘ୍ନରାଜ, କୋଟି ସୂର୍ଯ୍ୟ ସମ ପ୍ରଭ ଗଜାନନ ମରତେ ପାଅ ବିରାଜ। ତବ କୃପାବଳେ ଏ ମହୀ ମଣ୍ଡଳେ ଅଜ୍ଞାନ ଜ୍ଞାନୀରେ ଗଣା, ଆଶୀର୍ବାଦ ବିନା ନାହିଁ କିଛି ଆନ ଜୀବନଟା ବାଟବଣା। ପ୍ରଭୁ ଗଣେଶ୍ୱର ତୁମେ ଲମ୍ବୋଦର ଦିଅ ଆଜ ଦରଶନ, ଅପେକ୍ଷାର ଅନ୍ତ ଘଟାଇ ଜୀବନେ ଦିଅ ତବ ଦିବ୍ୟଜ୍ଞାନ। ଜ୍ଞାନର ପ୍ରଦୀପ କରି ପ୍ରଜ୍ଜ୍ଵଳିତ ଅଜ୍ଞାନ ଅନ୍ଧାର ନାଶି, ଢାଳି ଦିଅ ପ୍ରଭୁ କରୁଣାର ବାରି ଆଶିଷ ଯାଉ ବରଷି. ଯୁବକ ସମାଜେ ପଥଭ୍ରଷ୍ଟ ଆଜ ଦିଅ ତବ ଶୁଭାଶିଷ, କରି ନାମାମୃତ ପାନ ଯେ ଅଜ୍ଞାନ ଦୂର କରୁ ପାପ ଶୋକ। ଆଜିର ପବିତ୍ର ଜନ୍ମ ଜୟନ୍ତୀରେ ଭକ୍ତିପୂତ ପୁଷ୍ପାଞ୍ଜଳି, ଜୀବନ ପ୍ରଦୀପ ଜାଳି ଦିଅ ଆଜ ଭବୁ କର ପ୍ରଭୁ ପାରି। ∎ ଶିକ୍ଷକ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା।