ଏପଟରେ ବଣ ସେପଟରେ ବିଲ ଦିଲ୍ଲିପ କୁମାର ସାହୁ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4d7a278aa6.html ଏପଟରେ ବଣ ସେପଟରେ ବିଲ ଆଗରେ ପାହାଡ ଠିଆ ଏଇଠି ବଢିଲି ଏଇଠି ପଢିଲି ଏଇ ମୋ ଛୋଟିଆ ଗାଁ । ପେଟ ପୋଷିବାକୁ ସହରକୁ ଗଲି ସହରରେ କଲି ଘର ସହରକୁ ଯେତେ ନିଜର ଭାବୁଛି ସହର ସେତିକି ପର । ଗାଁରେ ପଛେ ମୁଁ ଥାଏ କି ନଥାଏ ସମସ୍ତେ ଜାଣନ୍ତି ମୋତେ ସହରରେ ମେତେ ଚିହ୍ନିପାରନ୍ତିନି ମୋ ଘର ପଡୋଶୀ ଯେତେ । ଚିହ୍ନିଛନ୍ତି ଯିଏ ଜାଣନ୍ତିନି ମୋର ପ୍ରକୃତ ନାମଟି କେହି ସାହୁ ବାବୁ ବୋଲି ଡାକନ୍ତି ସେମାନେ ପରିଚୟ ମୋର ସେହି। ଗାଁରେ କାହାର ଦାଦା ବଡବାପା କାହାର ମୁଁ ବଡଭାଇ ସଭିଏ ଲାଗନ୍ତି ନିଜର ନିଜର କଥା ନିଏ ମନ ମୋହି । ସହରୀ ମଣିଷ ତତଲା ନିଶ୍ୱାସ ବିଶ୍ୱାସ ରେ ଭରା ବିଷ ଗାଁ ମଣିଷ ଙ୍କ ଦରଦୀ ହୃଦୟ ମନଖୋଲା ତାଙ୍କ ହସ । ସହରକୁ ଟାଣେ ସ୍ବାର୍ଥ ର ଦଉଡି ଗାଁ କୁ ମମତା ଡୋର ଧନ ନୁହେଁ ଏଠି ମନ ବଡ ବୋଲି ଗାଁ ଲାଗେ ଆପଣାର । ସହର ବୁକୁରେ ଅନ୍ଧାର ଠୁ ବେଶି ଆଲୁଅକୁ ଲାଗେ ଡର ଅନ୍ଧାରୀ ମୂଲକ ହେଉ ପଛେ ଗାଁ ମୋ ପାଇଁ ସରଗ ପୁର । ∎