ଅତୁଲ ସୁନ୍ଦର ଦାନ ଲକ୍ଷ୍ମୀଧର ନାୟକ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-4c50116a63.html ଆସିଛି ଶରତ ଆମ ଏ ମରତ ପାର୍ବଣର ଋତୁ ଇଏ, ଶ୍ବେତ କାଶତଣ୍ଡି ଏ ଋତୁ ଏରୁଣ୍ଡି ଆସିବା ସୂଚନା ଦିଏ । ଗହୀରମଥାରେ ନଈ ପଠା ପରେ ରାସ୍ତା ଘାଟ ଦୁଇ ପାଶେ, ଭାରି ମନ ଲୋଭା ପ୍ରକୃତିର ଆଭା କାଶତଣ୍ଡି ପାଇଁ ଦିଶେ । ଲାଗେ ଶ୍ବେତ ଶାଢ଼ୀ ହୋଇଅଛି ଘୋଡି ଧରଣୀ ମାଆ ତା ଦେ‌ହେ, ଏମିତି ତା ରୂପ ଥରେ ଦେଖେ ଯିଏ ନଜର ଅଟକି ରହେ । ଜଗତ ଜନନୀ ଆଗମନ ଜାଣି ଚାମର ହଲାଏ ସିଏ, ପବନରେ ଝୁଲି ଗୀତ ଗାଏ ଫୁଲି ତା`ପରି ହେବରେ କିଏ ? ତାକୁ ଯେ ଦେଖିଚି ଭୁଲି କି ପାରିଛି ସ୍ବତନ୍ତ୍ର ତାହାର ସ୍ଥାନ, ଶରତ କାଳରେ ଧରଣୀ କୋଳରେ ଅତୁଲ ସୁନ୍ଦର ଦାନ । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮