ମିଳିମିଶି ରଜ ପାଳିବା ଧୀରେନ ମିଶ୍ର ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4a875700e5.html ବଣ ରାଇଜରେ ହୁରିହାଟ ହେଲା ପାଳନ ହୋଇବ ରଜ ଯେତେ ପଶୁ ଥିଲେ ଆନନ୍ଦ ମନରେ ସଭିଏଁ ହୋଇଲେ ସଜ । ଭାଲୁ ଯୋଗାଡିଲା ରଶି, ବାଉଁଶ ହାଣିଲା ହନୁମାଙ୍କଡ ଟା ଟାଙ୍ଗିଆ କଟୁରୀ ଘଷି । ୧ । ପଟା ଆଣିଦେଲା ଗଧିଆ ବାପୁଡା ଦୋଳି ବାନ୍ଧିଗଲା ଓଟ ମୋବାଇଲ ଧରି ଚଗଲା ଠେକୁଆ ଉଠାଇଲା ତା`ର ଫଟ । ବାଘର ଆଦେଶ ପାଇ, ବଳିଆ କୁକୁର ପଟା ସଳଖିଲା ଦୋଳି ପାଖେପାଖେ ଥାଇ । ୨ । ହରିଣ ଧରିଲା ଚାଉଳର ଡାଲା ନଈରେ ଧୋଇବ ନେଇ ପିଠଉ ବାଟିବ ଶିଆଳ ଜଗିଲା ଶିଳ ଶିଳପୁଆ ଠାଇଁ । ସମ୍ବର, ଗୟଳ ବୁଲି, ବଣ ଗୋଟାକରୁ କାଠ ଆଣିଦେଲେ ଜାଳିବା ପାଇଁକି ଚୂଲୀ । ୩ । ତାଉଆ, ପାତିଆ ଯୋଗାଡିଲା ପୁଷି ଚଞ୍ଚଳ କରିବ ପିଠା ଭାଡିତଳେ ବସି ହାତୀ କରୁଥିଲା ପାନ ମସଲାର ଚିଠା । ସବୁ ଚିଜ ହେଲା ଅଣା, ଏତେକଥା ଏତେ ସଅଳ ଘଟିଲା ମୂଷାକୁ ନଥିଲା ଜଣା । ୪ । ମନେମନେ ମୂଷା ବହୁତ ରାଗିଲା ଭାବିଲା, `ମୁଁ ସିନା ସାନ ତେଣୁ ମୋତେ ସବୁ ଅଣଦେଖା କଲେ ଦେବି ତାଙ୍କୁ ଗୋଟେ ପାନ` । ଛପିଛପି ଗଛେ ଉଠି, ଟିକିଟିକି କରି କାଟି ପକାଇଲା ବନ୍ଧା ଯେତେ ରଶି ଗଣ୍ଠି । ୫ । ପଟୁଆର କରି ସବୁ ପଶୁଗଣ ସିଂହ କୁ ଆଣିଲେ ଡାକି ରାଜା ଆଗ ଖେଳ ଆରମ୍ଭ କରିଲେ ଆଉ ଯେତେ ଯାହା ବାକି । ଦୋଳିରେ ଯତନେ ଚଢି, ଥରେ ନବାହୁଣୁ ରଶି ଛିଡିଗଲା ସିଂହ ଗଲା ତଳେପଡି । ୬ । କଚଡା ଖାଇଣ ଅଣ୍ଟାକୁ ସଳଖି ଗର୍ଜନ-ତର୍ଜନ କରି କମ୍ପାଇଲା ରାଗେ, ଯେତେ ପଶୁ ଥିଲେ ଲୁଚିଗଲେ ଡରିମରି । ମୂଷା ଦେଖୁଥିଲା ମଜା, ମିଳିମିଶି ରଜ ନପାଳିଲେ ବୋଲି ପାଇଲେ ଏପରି ସଜ୍ଜା । ୭ । ∎ ଶୁଶୁଡା,ଅନୁଗୋଳ ମୋ - 7978087891