ସବୁ ମନ ଯିବୁ ଆମେ ଛୁଇଁରେ ଜୟନ୍ତ କୁମାର ଓଝା ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-497f81d502.html କୁନିକୁନି ଚୂନିଚୂନି କୋଟିକୋଟି ତାରାଫୁଲ ଗୋଟିଗୋଟି ଆକାଶରେ ଫୁଟନ୍ତି ଦିକିଦିକି ଜଳିଜଳି ଭଳିଭଳି ଆଲୁଅରେ ନିଶି ବୁକୁ ଚିରିଚିରି ଉଠନ୍ତି। ଛଳଛଳ ସାଗରର ନୀଳନୀଳ ଢେଉମାଳ ଆସେ ଛୁଟି ପାଦ ଧୁଆ ଲକ୍ଷ୍ଯରେ ଚଳଚଳ ତାର ପାଣି ଜାଣିଜାଣି ଦିଏ ଆଣି ନିଏ ନାହିଁ ଯାହା ଫିଙ୍ଗ ବକ୍ଷରେ। ତରତର ଖରଖର ଅବିରତ ଝରଝର ଝରଣାଟି ଯାଏ ଝରିଝରିରେ ଆମ ପାଇଁ ବହିବହି ପଥେ ଦୁଃଖ ସହିସହି ଲକ୍ଷ୍ଯ ପଥେ ଧାଏଁ ସେ ନଡରିରେ। ଝିକିମିକି ରବି କର ଚିକିମିକି କରିକରି ଥିରିଥିରି ପଡ଼ିପଡ଼ି ଯାଏରେ ଧିରେଧିରେ ମିଶିମିଶି ଜଳକଣା ଶୋଷିଶୋଷି ନିଜ ବାଟେବାଟେ ସିଏ ଥାଏରେ। ହସିହସି ଏହି ମହୀ କେବେ କିଛି କହିନାହିଁ ସହିସହି ଯାଏ ଦୁଃଖ ସରବ କୋଟିକୋଟି ଜୀବ ପାଇଁ ଗୋଟିଗୋଟି ସାଇତିଛି ଭଳିଭଳି ଅସୁମାରି ଦରବ। ଧୀରଧୀର ସଦା ଥିର କେବେ ନୁହେଁବି ଅଥିର ଆସୁ ପଛେ ଯେତେ ଯେତେ ବିପତ୍ତି ଶୀର ଟେକି ବୀର ପରି ରହିବାକୁ ମହୀଧର ନେଇଛି ସେ ମନେମନେ ନିଷ୍ପତ୍ତି। ଆମେ ସବୁ ଟିକିଟିକି ହସିହସି ଫିକିଫିକି କୁନି କଢ଼ି ଫୁଟିଛୁ ଏ ଭୂଇଁରେ ଭଲ କାମ କରିକରି ହସିହସି ଝରିଝରି ସବୁ ମନ ଯିବୁ ଆମେ ଛୁଇଁରେ। ∎ ଏସ.ଏସ.ପି.ଏଲ , ଡି.ଆର.ଡି.ଓ, ଲକ୍ଷ୍ନୋରୋଡ, ତିମାରପୁର, ଦିଲ୍ଲୀ-୧୧୦୦୫୪, ମୋ-୯୫୪୦୨୩୬୬୪୬।